Unknown

 

 

 

 

 

 

 

 

 

 

ହେମପୁଷ୍ପ

ଡ ମାୟାଧର ମାନସିଂହ

 

ଉତ୍ସର୍ଗ

 

ଲୋକୋତ୍ତମ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁ ଭାରତ-ଭୃତ୍ୟ, କରକମଳେଷୁ-

 

ପୁଷ୍ପିତ ସହସ୍ର ପ୍ରାଣ ତବ ପରଶରେ

କବି ତେଣୁ ‘ହେମପୁଷ୍ପ’ ଦିଏ ଭେଟି କରେ ।

 

 

ଇତି

 

ବଶମ୍ୱଦ

 

ମାୟାଧର

***

 

ଭୂମିକା

 

‘ପ୍ରେମଶସ୍ୟ’ ‘ମାଟିବାଣୀ’ ଓ ‘ଜୀବନଚିତା’ ପ୍ରଭୃତିରେ ମୋର ଖଣ୍ଡ କବିତାଗୁଡ଼ିକର ଜାତି ବିଭାଗ ହୋଇସାରିଲା ପରେ ଯାହା ଉଦ୍‍ବୃତ୍ତ ରହିଲା, ‘ହେମପୁଷ୍ପ’ ସେଇଗୁଡ଼ିକର ସଂଗ୍ରହ । ଏଇ କବିତାଗୁଡ଼ିକ ପ୍ରତ୍ୟେକେ ଅନ୍ୟଠାରୁ ପ୍ରାୟ ଭିନ୍ନ ।

 

ତଥାପି ସେମାନଙ୍କ ଭିତରେ ସାମ୍ୟର ଏହି ସୂକ୍ଷ୍ମ ସଂଯୋଗ-ସୂତ୍ର ଅଛି ଯେ, ଇନ୍ଦ୍ରିୟ ଭୋଗ୍ୟ ଏହି ବାହାର ବିଶ୍ୱର ଦର୍ଶନ ଓ ସ୍ପର୍ଶ ଯେଉଁ ବୟସରେ ଚିତ୍ତକୁ ନାନା ଭାବରେ ବିକ୍ଷୋଭିତ କରେ ସେଗୁଡ଼ିକରେ ସେହି ରୂପ-ବୁଭୁକ୍ଷୁ ଯୌବନ ବୟସର ଜନନ-ଚିହ୍ନ ସୁସ୍ପଷ୍ଟ ।

 

ବାରବର୍ଷ ତଳେ ଯେଉଁ ‘ହେମପୁଷ୍ପ’ ପୁସ୍ତକ ପ୍ରକାଶ ପାଇଥିଲା, ଏ ‘ହେମପୁଷ୍ପ’ ତାହାର ଦ୍ୱିତୀୟ ସଂସ୍କରଣ ନୁହେଁ । ଏହା ଏକ ନୂତନ ସଂସ୍କରଣ । ଏଥିରେ ପୂର୍ବ ପୁସ୍ତକର ଅନେକ କବିତା ଅନ୍ୟ ପୁସ୍ତକକୁ ଚାଲିଯାଇଛି ଏବଂ କେତେକ ନୂତନ କବିତା ସେମାନଙ୍କର ସ୍ଥାନ ଅଧିକାର କରିଛନ୍ତି-

 

ଏହି ‘ନୂତନ’ କବିତାଗୁଡ଼ିକରୁ ଅଧିକାଂଶର ବୟସ କିନ୍ତୁ ପୁରାତନ । ବସ୍ତାନି ଖୋଜୁ ଖୋଜୁ ହଠାତ୍ ଆଖିରେ ପଡ଼ିବାରୁ ସେଗୁଡ଼ିକୁ ଦୟାକରି ଏ ପୁସ୍ତକରେ ଥିବା ଖାଲି ସ୍ଥାନ ଦେଇ ଦିଆହୋଇଛି ମାତ୍ର ।

 

‘ଶୁଭଦୃଷ୍ଟି’ କବିତାର ଶେଷ ଦୁଇ ସର୍ଗର ଛାପା ଭୁଲରେ ଛାଡ଼ି ହୋଇଯାଇଥିବାରୁ ପୁସ୍ତକ ଶେଷରେ ସନ୍ନିବେଶିତ କରାହୋଇଅଛି । ଏ ଭୁଲ ପାଇଁ ମୁଇଁ ଏକାନ୍ତ ଭାବରେ ଦାୟୀ । ପାଠକମାନେ ଏ ଅସୁବିଧା ପାଇଁ ମତେଇ ଦୋଷ ଦେବାକୁ ଅନୁରୋଧ କରେଁ ।

 

 

ଇତି

 

ମାୟାଧର ମାନସିଂହ

***

 

ସୂଚୀପତ୍ର

 

୧.

ଶୁଭ ଦୃଷ୍ଟି

୨.

ରୂପ ଦେବତା

୩.

ଇରାନୀ କିଶୋରୀ

୪.

ବିରହୀ ଘନ

୫.

ପ୍ରାବୃଟ ସମ୍ଭାଷଣ

୬.

ଯଥାସ୍ଥାନ

୭.

ସାଫୋର ବ୍ୟଥା

୮.

ଘନ-ଶର୍ବରୀ

୯.

ହେ ମୋର ପରମ

୧୦.

ହଂସ ହତ୍ୟା

୧୧.

ହତସ୍ୱପ୍ନାର ପତ୍ର

୧୨.

ବିଦେଶ ଯାତ୍ରା

୧୩.

ମରମେ ତୁମର

୧୪.

ବସନ୍ତୋତ୍ସବ

୧୫.

ଜୋତ୍ସ୍ନାମୟୀ

୧୬.

ଇତସ୍ତତଃ

୧୭.

କୁଳଟା ରାଧା

୧୮.

ବଂଶୀ ଡାକ

୧୯.

ଆତ୍ମ-ପର

୨୦.

ଶେଲୀ-ମୃତ୍ୟୁ

୨୧.

ଉଦାସୀ ପାନ୍ଥ

୨୨.

ରୂପାଲୋକ

୨୩.

ପ୍ରତ୍ୟାବୃତ୍ତା

୨୪.

ରୂପସୀର ପୂଜା

୨୫.

କ୍ଷମା କର

୨୬.

ନାରୀ

୨୭.

ମହାଦାନ

୨୮.

ସୃଜନ-ସୁକ୍ତ

୨୯.

ବିଶ୍ୱଦେବାଳୟ

୩୦.

ଧ୍ରୂପ ତାରା

୩୧.

ଉପହସିତ

୩୨.

ଯାଇଛି ସେ

୩୩.

ଶୁଭ ଦୃଷ୍ଟି (୨ୟ ସର୍ଗ)

୩୪.

ଶୁଭ ଦୃଷ୍ଟି (୩ୟ ସର୍ଗ)

୩୫.

ବେଠିକ୍

***

 

ଶୁଭ-ଦୃଷ୍ଟି

 

ସମ୍ପାସର ନୀଳନୀରେ ବିକଚ-ଯୌବନା

ଉଲ୍ଲସୀ ନାଗେଶକନ୍ୟା କରେ ଜଳକ୍ରୀଡ଼ା ।

ସଙ୍ଗେ ଛନ୍ତି ସହଚରୀ ରୁଚିର-ହାସିନୀ

ଉପହାସ-ପରିହାସ-ବିଳାସ-କୁଶଳା ।

ନବୀନ-ବୟସୀ ସର୍ବେ; ସ୍ୱର୍ଣ୍ଣ-ଦେହ-ଲତା

ଅଳସେ ମେଲାଇ ଦେଇ ତରଙ୍ଗିତ ଜଳେ ।

ତିଳପୁଷ୍ପ-ନସାପୁଟ ଫୁଲାଇ ସବେଗେ

ସୌଗନ୍ଧିକ ଗନ୍ଧସୁଧା କରୁଛନ୍ତି ପାନ ।

ନଗେନ୍ଦ୍ରନନ୍ଦିନୀ ଉଭା ଆକଣ୍ଠ ସଲିଳେ,

ବିଭାବରୀ ଛାୟା ଭେଦୀ ଉଷା ବିଭା ସମ୍:

ଅଥବା ଶ୍ୟାମଳ ବୃନ୍ତ ଆବରଣ ଠେଲି

ଉଠୁଛି ସ୍ଫୁଟନୋନ୍ମୁଖୀ କୁସୁମ କଳିକା ।

ଚଉପାଶେ ଘେରିଛନ୍ତି ସହଚରୀବାର,

ପ୍ରବାଳ ପରିଧି ମଧ୍ୟେ ମାଣିକ୍ୟ ସେ କିବା ?

ଅଥବା ବିକଚ ଶତ କୋକନଦ ଦଳେ

ଆଶ୍ୱିନ ପ୍ରଭାତ ସ୍ଫୁଟ ସରସିଜ ସେ କି ?

ଉଦ୍ଭିନ୍ନ ଯୌବନା ତନ୍ୱୀ ନାଗେଶ କୁମାରୀ,

ଯାର ତନୁଶୋଭା ଦେଖି ଅତନୁ ଦେବତା ।

ହରକୋପ ଭସ୍ମ ପରେ ଖଞ୍ଜିଛି ପ୍ରଥମେ

ମନ ଜାଣି ଜନ ହୃଦେ ତା ବିଷମ ଶର ।

ପ୍ରଳମ୍ବ ଚିକୁର ତାର ଲମ୍ୱି ଭାସେ ଜଳେ

କୁଞ୍ଚିତ, ଚିକ୍କଣ, ଘନ, ଶୈବାଳ କୋମଳ-

ପ୍ରସାଧନ ଗନ୍ଧବାସେ ଆକୁଳି ସଲିଳ

ଧୀର ଊର୍ମି ସହ ରଚି ଦୋଳାୟିତ ଲୀଳା ।

କମଳେ ଶୈବାଳ ସମ ସ୍ୱର୍ଣ୍ଣ-ଭାଲପଟେ

କୁଞ୍ଚିତ ଚିକୁରରାଶି ଝୁଲଇ ଶିଥିଳେ ।

ନୀର ବିନ୍ଦୁ ଝରେ ତହୁଁ, ଖସେ ଯଥା ନୀର

ଶ୍ରାବଣ ଆସାର ଶେଷେ ଶ୍ୟାମ ଧାନ ଦେହୁଁ ।

କ୍ରୀଡ଼ାରଙ୍ଗେ ରାଜଜେମା ବୁଡ଼ଇ ଉଠଇ,

ଢଳିପଡ଼େ ଚନ୍ଦ୍ରମୁଖ ଏଣେତେଣେ ନୀରେ,

ଦୋଳଇ ଶରୀରଯଷ୍ଟି, ଲଜ୍ଜା ଦେଇ ସେହି-

ସମ୍ପାସର-ଶତ-ଫୁଲ୍ଳ-ଲୀଳା ସରସିଜେ ।

ଥରେ ଥରେ କୁତୁକିନୀ ମୁଖେ ନୀର ଭରି

ଫୁତ୍କାରି ବର୍ଷଇ ତାହା ସଖୀବାର ପରେ,

ଯୂଥିକା କୁସୁମ ସମ ପଡ଼େ ନୀରକଣା

ଇନ୍ଦ୍ରଧନୁ ବର୍ଣ୍ଣ ବିଭା ଦେଖାଇ କ୍ଷଣକେ ।

ଅଧର ମର୍ଦ୍ଦିତ ସେହି ଶିକାର ଆସାର

ହାସ୍ୟ ମୁଖେ ବରିନେଇ ସହଚରୀବାର

ଭାସୁଥାନ୍ତି ପରିହାସେ, ‘‘ଏ କି ଜେମାମଣି ?

ପ୍ରଥମ-ପ୍ରଣୟ-ପ୍ରୀତା କରଣୀର ସମ ।

ଅବେଳେ ପ୍ରଗଳ୍‍ଭା ସମ ଏ କି ବ୍ୟବହାର ?’’

ଲଜ୍ଜା ଲଭି ସପ୍ତଦଶୀ ହସି କର କର

କହେ, ‘‘ରଖ ପରିହାସ ପୋଡ଼ାମୁହିଁ ସବୁ,

କା ସାଥେ ଦେଖିଲ ମୋର ପ୍ରେମ, ଚୁଲିପଶି ?’’

ଭାସିଲା କୂଳରୁ ଏକ ବହୁ ବୟସିନୀ,

‘‘ଆଲୋ ସର୍ବେ ସୁନ୍ଦରୀଏ; ଜଳକେଳି ଘେନି

ମାତି ଯେ ରହିଲ ସୁଖେ, ଚାହିଁ ନା ଆକାଶେ

ପଦ୍ମିନୀବଳ୍ଲଭ-ରଥ ଉଠିଲାଣି କାହିଁ ?

ନଦୀ ଆର ତୀରେ ଦେଖ ଶବର କୁଟିରୁଁ

ରନ୍ଧନ ଇନ୍ଧନ ଧୂମ୍ର ଉଠଇ କୁଞ୍ଚିତେ,

ଲତା ପତ୍ର ପୁଷ୍ପ ଦେହୁଁ ଉଷାର ଶିଶିର

ଖର ରବି ତାପେ ଦେଖ ଗଲାଣି ଉଭାଇ !

ଦୂର ଶ୍ୟାମ ଶୈଳ ଦେହେ ତପନ କିରଣ

ସ୍ୱର୍ଣ୍ଣ କାଢ଼ିନେଇ ଦେଖ ଦେଲାଣି ଘୋଡ଼ାଇ

ରୂପର ଉତ୍ତରୀ ଗୋଟି; ତୀର ବନସ୍ପତି

ଶୂନ୍ୟେ ଏବେ, ବୃକ୍ଷବାସୀ ବିହଗ ବିହଗୀ ।

ଅନ୍ନ ଅନ୍ୱେଷଣେ ଉଡ଼ିଗଲେଣି ଆକାଶେ;

ଉଠ ବେଗେ ଗୃହେ ଯିବା, ସାର ତ୍ୱରା ଏବେ

ମଦନ ଦେବତା ପୂଜା ।’’ ସହସା ଉଠିଲା

‘ସତେ ଲୋ’, ‘ସତେ ଲୋ’ ବୋଲି ଆକୁଳ ଭାଷଣ ।

‘‘ଆସ ରମା, ନାନ୍ଦିମୁଖି, କୁଞ୍ଜରିକା ସଖୀ,

ଆସ ଲୋ ଉର୍ବଶି, ତେଳ କୁମୁଦ କହ୍ଲାର,

ସାରି ବେଗେ ଦେବ ପୂଜା ଗୁହେ ଯିବ ଫେରି,

କେଜାଣି ରାଣିମା ଆଜି ବୋଲିବେ ବା କିସ,

ଆସ ବେଗେ’’-ବୋଲି ସର୍ବ ସୁନ୍ଦରୀ ଷୋଡ଼ଶୀ

ସନ୍ତରି କରିଲେ ବେଗେ କୁସୁମ ଚୟନ ।

ସହସା ଉଠିଲା ନୀରେ କୋମଳ କଲ୍ଲୋଳ

ଷୋଡ଼ଶୀ ମୃଣାଳ ବାହୁ-ମୃଦୁଳ ଆଘାତେ

ନୀଳ ନୀର ଫାଟି ଊର୍ଦ୍ଧ୍ୱେ ଉଠଇ ମନୋଜ୍ଞେ

ହୀରକର ଚୂର୍ଣ୍ଣସମ ସଲିଳ ଛିଟିକା;

ଯୁବତୀ ଚଟୁଳ ଗଣ୍ଡ ପୁଷ୍ପରେଣୁ ରାଗେ

ଶବଳିତ ହେଲା କ୍ଷଣେ, ପୁଷ୍ପଶାୟୀ ଭୃଙ୍ଗ

ପୁଷ୍ପ ତେଜି ପଦ୍ମମୁଖୀ ପଦ୍ମଗନ୍ଧ ଭୋଳେ

ଉଠିଲେ ଗୁଞ୍ଜରି ଧୀରେ ନଭେ ଦଳେ ଦଳେ ।

ସୁବର୍ଣ୍ଣ ବ୍ରତତୀ ସମ ଢାଳି ଦେହଯଷ୍ଟି

ସ୍ୱର୍ଣ୍ଣ ଭୁଜଦଣ୍ଡେ ଧୀରେ ନୀର ଆହୁଲାଇ,

ସନ୍ତରିଲେ ବାଳାକୁଳ । ଏକ ବାହୁଲତା

ଆନର ଚିକୁରପାଶେ ଛନ୍ଦିହୁଏ ବନ୍ଦୀ,

ଉଠେ ହାସ୍ୟରୋଳ ତେଣୁ; ଏକ କରତଳ

ଅଜ୍ଞାତେ ବାଜର ଆନ ପୀବର ଉରଜେ,

ଉଠେ ହାସ୍ୟରୋଳ ତେଣୁ; ଏକ ହସ୍ତ ବାଜି

ଅନ୍ୟର ଜଘନ-ବାସ ଖସଇ ସଲିଳେ,

ଉଠେ ହସ୍ୟରୋଳ ତେଣୁ; ପରସ୍ପର କର-

ଆଘାତେ ସଲିଳଛିଟା ସକଳର ମୁଖେ

ଅତର୍କିତେ ପଡ଼ି ଦିଏ ନୟନେ ଚମକ,

ଉଠେ ହାସ୍ୟରୋଳ ତେଣୁ; ଏହିପରି କେତେ

କ୍ରୀଡ଼ାରଙ୍ଗେ ହାସ୍ୟରସେ ମାତି କୁତୁକିନୀ

ତୋଳିଲେ ସଲିଳପୁଷ୍ପ ।

କୁସୁମ ଚୟନେ,

କୁସୁମୁ କୋମଳତର ସୁନ୍ଦରୀ-ଶ୍ରୀକର-

ସ୍ପର୍ଶ ଲଭି, କୁସୁମ କି, ଭାବେ କବି ମନେ,

ନ ଭାବିଲା ଧନ୍ୟ ବୋଲି ମରଣରେ ତାର ?

ଯେ ବାହୁ ଆଶ୍ଲେଷ-ପାଶ-ଲାଳସେ ତରୁଣ

ଦାରୁଣ ମରଣ ଆଣେ ସ୍ୱଇଚ୍ଛାରେ ବରି,

ହେଲେ ଲଭି ସେ ସରସ ପରଶ ମଧୁର

ମୃଣାଳ କି ନ ଭାବିଲା କୃତାର୍ଥ ନିଜରେ ?

କାଦମ୍ୱରୀପୂର୍ଣ୍ଣ ସେହି ଅଧର ରକ୍ତିମ,

ତରୁଣ, ଯେ ପାନପାତ୍ର ନିତ୍ୟ ମୁଖେ ଧରି

ପିଇବାରେ କରେ ଇଚ୍ଛା, ପୁଷ୍ପଦଳ ତାର

ନିବିଡ଼ ସରଶ ଲଭି, ଭାବିଲା କି କ୍ଷଣେ

ନିଜ ମଧୁ ସେ ମଧୁରୁ କେଡ଼େ ରସହୀନ ?

କୁସୁମଜୀବନ ହାୟ ଲଭିଥିଲେ କବି

ସେ ଦିନ ସେ ପମ୍ପାସରେ, ବୁଝିଥାନ୍ତା ସିନା

କିଛି ହେଲେ ତତ୍ୱ ଏଥି !

କୁସୁମ ଚୟନେ

କେ ଚତୁରୀ ବୋଲେ ‘ଆହା ମୂଢ଼ ଆମ୍ଭେ ସିନା

ଥାଉଁ ଥାଉଁ ଜେମାମଣି-ନେତ୍ର-ଇନ୍ଦୀବର-

ତରଳ, ନୀଳିମ-ଆଭା, ଚଞ୍ଚଳ, ଉଜ୍ଜ୍ୱଳ,

କିପାଇଁ ଏ ନୀଳୋତ୍ପଳ-ଚୟନ ଲୋ ସଖୀ ?’

ଆଉ ଏକ ବୋଲେ, ‘ସତେ ଜେମାମଣି କର-

କୋକନଦ ଥାଉଁ କିପାଁ ତୋଳେ ଏ କହ୍ଲାର ?’

କିପାଇଁ ବା ଥାଉଁ ଓଠେ ଚିର-ସ୍ମିତ-ରେଖା

ତୋଳି ଏତେ ଶ୍ରମେ କହ ଧବଳ-ଉତ୍ପଳ ?’

ଶୁଣିଲା ତା ଜେମାମଣି, ନ କହିଲା କିଛି,

ସରମେ ନଇଁଣ ଖାଲି ହସିଲା ଲଳିତ ।

ଆଉ କେ ଚତୁରୀ ତହୁଁ କହୁଛି ଶୁଣାଇ

‘କି ଫଳ ପାଇଲା କହ ରାଜଜେମା ସତେ

ଏତେଦିନ ଅଙ୍ଗ-ହୀନ-ଦେବତାରେ ପୂଜି ?

ଆଜି ଯଦି ଆସନ୍ତା କେ ଜୀବନ୍ତ-ଦେବତା !’

କହେ ଆନ ସଖୀ ତହୁଁ, ‘ଜୀବନ୍ତ ଦେବତା

ଆସିବେ କି ସେବା ବିନା ? ମିଳନ୍ତି ସେ ସିନା

କୁମାରୀ-ଅନଙ୍ଗ-ପୂଜା-ପ୍ରସାଦ ସ୍ୱରୂପ ?

ବଡ଼ହିଁ ସାଧନା ସତେ କଲେଣି କୁମାରୀ !

ନିତ୍ୟ ଅବଗାହ ଶେଷେ କର-କୋକନଦେ

କନକ-ନିଟିଳ, ଆଉ ବଳି-ପୂତ ଭୂମି

ପରଶି, ନୟନ ବୁଜି କେତେ ସେ ପ୍ରାର୍ଥନା

ନ କରନ୍ତି ପୁଷ୍ପଶରେ ! ଦେହ ଥିଲେ ସିନା

ବୁଝନ୍ତେ କି କଷ୍ଟ ଦିଏ ବିଫଳ କାମନା,

ବିଦେହ ଦେବତା ପରା, ବୁଝିବେ ସେ କାହୁଁ ?

ହେଲେ ସଖୀ, ମତେ କିପାଁ ଦିଶେ ଜଳ ଜଳ

ଜେମା ତପସ୍ୟାରେ ସେହି ଅନଙ୍ଗ ଦେବତା

ଅଙ୍ଗ ଧରି ଏଇ କେବେ ଦେଇଯିବେ ବର’ ।

ଶୁଣିଲା ଏ ଶ୍ଲେଷଭାଷା ଉଲୁପୀ କୁମାରୀ,

ଛଦ୍ମ କ୍ରୋଧେ ଦୂରେଥାଇ ଭାଷିଲା ବଚନ,

‘‘କେ ତୁମ୍ଭରେ ପୋଡ଼ାମୁହିଁ, ଦେଲା ଅଧିକାର

ମୋ ପୂଜାର ଫଳାଫଳ କରିବା ବିଚାର ?

ସଂଯତ କର ଲୋ ଜିହ୍ୱା’’ –

ବୋଲୁଁ, ସଖୀବାର

ପରିହାସେ ହସି ଏହା ଭାଷିଲେ, ‘‘ଜେମା ଗୋ,

ଏତେ କ୍ରୋଧ ଆଜି କିପାଁ ସାମାନ୍ୟ କଥାରେ ?

ଜୀବନ୍ତ ଦେବତା କି ଗୋ, ନାହିଁ ଭିକ୍ଷା ତବ ?

ଅନଙ୍ଗେ କି ଏତେଦିନ କରୁଥାଅ ପୂଜା

ସନ୍ନ୍ୟାସିନୀ ହେବା ପାଇଁ ଗୃହସୁଖ ତେଜି ?’’

ଅଭିମାନେ ତପ୍ତ ବାଳା ଅଧର କମ୍ପାଇ

କହିଲା, ‘‘ତା ଜାଣି, ଶୁଣେ, କି ଲାଭ ତୁମ୍ଭର,

କିପାଁ ଏହି ଅପମାନ, ଏତେ ପରିହାସ ?

ସକଳେ ନିଜରେ ଭାବ ନିର୍ମଳା ତୁଳସୀ

ମୋହରି ଭିକ୍ଷାରେ ଏକା ଲାଗିଅଛି କଥା ।

ହେଉ ମୋ ଅନଙ୍ଗ ପୂଜା ଶେଷ ଆଜିଠାରୁ,

ଫିଙ୍ଗିଲି ଏ ପୁଷ୍ପରାଶି, ରହ ତୁମେ ଏଥି,

ଯାଏ ମୁହିଁ ଗୃହେ; ମୋର ଭିକ୍ଷା କିଛି ନାହିଁ ।’’

ଭିକ୍ଷା କିଛି ନାହିଁ ବୋଲି ଫେରାଇଲା ମୁଖ

ଫେରିବାରେ ତୀର ଦେଶେ,-ସହସା ପଡ଼ିଲା

ନୟନେ ଯେ ବୀର ତନୁ ଉଭା ହ୍ରଦତୀରେ

ଭାବିଲା ଉଲୁପୀ ତାରେ ଆସିଅଛି ଯେହ୍ନେ

ଯୁଗ ଯୁଗ ଯାଚନାର ଜୀବନ୍ତ ପ୍ରସାଦ !

ହୃତ୍‍ପିଣ୍ଡ କମ୍ପିଲା ତାର, ନଇଁଲା ନୟନ,

ଚମକି ଆକଣ୍ଠ ନୀରେ ରହିଲା ଥମକି,

ଫେରିବ କି ସଖୀ ଦଳେ, ଯିବ ଅବା ତୀରେ

ଏ ଲାଗି ହୃଦୟେ ତାର ଆରମ୍ଭିଲା ଦ୍ୱନ୍ଦ୍ୱ ।

ସଖୀଏ ଚାହିଁଲେ ଫେରି ପରିହାସ ତେଜି,

ଦେଖିଲେ ତୀରସ୍ଥ ଯୁବା ରହିଛନ୍ତି ଚାହିଁ

ଜେମାର ଆନତ ମୁଖେ । ଏ ସଂକଟ କାଳେ

ଘାଟେ ଥାଇ ଡାକ ଦେଲା ସେ ବହୁବୟସୀ-

‘‘ଆସଗୋ, ଆସ ଲୋ, ତୀରେ, ବନ୍ଦ ଏ ବୀରରେ

ଏହି ସେ ଭୁବନଜୟୀ ଶୁରେନ୍ଦ୍ର ଫାଲ୍‍ଗୁନୀ,

ଯଶେ ଯାର ଭାରାକ୍ରାନ୍ତ ଜନମୁଖ ସଦା,

ଶୌର୍ଯ୍ୟ ଯାର ପହଞ୍ଚିଛି ସୁରସଭା ତଳେ,

ଭାତୃଆଜ୍ଞା ଘେନି ଏହି ବୀର ଚୂଡ଼ାମଣୀ

ବନବାସ ବରି ନେଇ ଭ୍ରମୁଛନ୍ତି ଦେଶେ,

ଧନ୍ୟ ହେଲା ନାଗଦେଶ ପଦଧୂଳି ଲଭି ।

ଆସ ବେଗେ; ଗୃହେ ଯାଇ ନୃପତିରେ କହି

ବରାଇଣ ନେବା ବୀରେ ଉଚିତ ବେଭାରେ ।’’

ଫାଲଗୁନୀର ନାମ ଶୁଣି ଉଲୁପୀ କୁମାରୀ

ଆହୁରି ଗଭୀରତର ନୂଆଁଇଲା ମଥା ।

ରହିଲେ ସଜନୀବ୍ରଜ ଥିଲେ ଯହିଁ ତହିଁ,

ନ ଘୁଞ୍ଚିଲା ପଦ କାର । ବହୁବୟସିନୀ

ଚେଟୀ ସେ ସଜନୀବ୍ରଜ-ଲଜ୍ଜାଲୀଳା ଦେଖି

ଇଙ୍ଗିତେ ଚାହିଁଲା ହସି ମଧ୍ୟମ ପାଣ୍ଡବେ;

ସସ୍ମିତେ ଚଳିଲେ ବୀର ବନ ଅନ୍ତରାଳେ ।

***

 

ରୂପ ଦେବତା

 

-୧-

 

ଶିଶିର ଅବଶେଷେ ଫଗୁଣେ ରାଣୀ-ବେଶେ

କେ ଦେଲା ଧରଣୀକି ପଠାଇ,

କି ମଧୁ-ଇଙ୍ଗିତେ ଜଡ଼ ଧରଣୀ ପୀଠେ

କୁସୁମ-କଢ଼ି-ଦଳ ଫୁଟାଇ ।

 

କାହାର ପଦ ବାଜି ପୁଟିଲା ଫୁଲ ଆଜି

କିକଶେ କିଶଳୟ କାନନେ

କୁହେଳି-ଧୂମ କାଢ଼ି ନୀଳିମା ଦେଲା ବାଢ଼ି

କର କାହାର ନଭ-ଆନନେ ।

 

ରସାଳ-ମଞ୍ଜରୀ ଚୁମଇ ଗୁଞ୍ଜରି

ମଧୁପ, ମଧୁପାନ ଅଧୀର;

ନିବିଡ଼-ପଲ୍ଲବେ ଲୁଚି, ଲଳିତ ରବେ

ମୁଖର ବନ କରେ କୋକିଳ ।

 

 

 

ଥରଇ ଘାସେ ଘାସେ ପ୍ରଣୟ କାର ଆଶେ,

ଧୂଳିରୁ ଉତ୍ସବ ଉଠଇ

ଜୀବନେ ମତ୍ତତା ହୃଦୟେ ମଧୁ-ବ୍ୟଥା,

ମାନସ ଆନ-ଆଶେ ଛୁଟଇ ।

 

ଆକାଶ ମୁଖରିତ ବିହଗ ଗୀତେ । ଶୀତ-

ମଳୟେ ମାଦକିତ ଆଳୟ,

ମତ୍ତ ଦେହ ମନ, ମତ୍ତ ଏ ଭୁବନ

ଚିତ୍ତେ ଉତିତ ପ୍ରଳୟ ।

 

କେ ଦେଲା ଜଗତରେ ଜୀବନ-ମନ୍ତ୍ରରେ !

ରେଣୁରେ ତେଣୁ ରୂପ ଫୁଟିଲା

କିଏ ସେ ରୂପ-ଦାନୀ କେଉଁ ଭୂପରେ ମାନି

ଭୁବନ-ଭବନରେ ଉଠିଲା ।

 

ତା ତୁଳି-ଗାର ଖାଇ, ରୂପ ଏ ଥିଲା କାହିଁ

ଧରଣୀ ଜଡ଼ ଦେହେ ହସିଲା

ପଉଷ ତୁଷାରିତ- ପ୍ରାଣେ ଅପରିଚିତ –

ଅନଳ ଧୀରେ ଧୀରେ ପଶିଲା ।

 

 

 

ତରୁଣୀ-ପଦତଳ ଶୋଣିତ-ଟଳ-ମଳ,

କପୋଳେ ଫୁଟେ ଆଜି ପଲାଶ,

ଦଖିଣ ବାତାୟନ ମେଲି କରୁଁ ଶୟନ

ହୃଦୟେ ପାଏ କି ସେ ପରାସ !

 

ଦେହରେ ଦେଲା ଛବି, ସେ ରୂପ ଦାନୀ କବି

ହୃଦୟେ, ମାଦକିନୀ ବେଦନା

ଅଳସ, ଶୋଣିତରେ; ତନ୍ଦ୍ରା, ଚିତ୍ତରେ,

ସକଳ ପ୍ରାଣେ ନବ-ଯାଚନା !

 

ଗଗନେ, ଜଳେ, ଥଳେ, ଲୁଚି ସେ କାହିଁ ଚଳେ

ଦେଖେ ତ ନାହିଁ କାହିଁ ନୟନ,

ତାର ବିରାଟ ରଥ ଚଳଇ କେଉଁ ପଥ ?

ନିଖିଳ ଭବ କି ତା ଅୟନ ?

 

-୨-

 

ରୂପର ଦେବତା ସେ ସୃଜନ-ସୁଖ-ଆଶେ

ଅବନୀ-ବନିତାରେ ସାଜଇ;

 

 

ଦେହରେ ରୂପ ରଚି ମଧୁ-ସୁଷମା ଖଚି

ତହିଁ ଅଦେହ ଦେବ ରାଜଇ ।

 

ମଦନ ନାମ ତାର, ତାହାରି ତୂଳି-ଗାର

କୁସୁମ ଓଠେ ହାସ ଶିଖାଏ

ଭରିଣ ରୂପ ରସେ, ପ୍ରୀତି-ରଭସ ବଶେ

ତରୁଣୀ ବୁକୁ ସେହି ବିକାଏ ।

 

କେକାର ପକ୍ଷେ ସେ ବର୍ଣ୍ଣ-ବିଭା ଲେଶେ

ଜ୍ୟୋତ୍ସ୍ନା ଏଡ଼େ ମଧୁ କରଇ,

କୋକିଳ କଣ୍ଠରେ ତା ଯୋଗୁଁ ସୁଧା ଝରେ

ତା ଯୋଗୁଁ ଲତା ଫୁଲ ଧରଇ ।

 

ବିଜୁଳି ପଛ ଧରି ଜଳଦ ଧ୍ୱନି କରି

ନିଖିଳ ନଭ କିପାଁ ଖୋଜଇ ?

ନଦୀର ନୀଳ-ବେଣୀ ନିଖିଳ ଦେହ ଘେନି

ସାଗର କୋଳେ କିପାଁ ହଜଇ ?

 

ତପନ ତାପ ପାଇଁ କୁସୁମ ଚାହିଁଥାଇ,

ଲଭିଲେ, ହସିଉଠେ କିପରି ?

କୁମୁଦ, କୌମୁଦୀ ନ ପାଇ ଯାଏ ମୁଦି,

କମଳ, ରବି-କରେ ସେପରି ।

 

ଏ ସବୁ କେ କରାଏ ? ଏ ମାୟା କେ ଲଗାଏ ?

ବସ୍ତୁ ବସ୍ତୁରେ ପ୍ରଣୟ ?

ପ୍ରଣୟ ଲାଗି ରୂପ ନିଖିଳେ ଅପରୂପ

ସରଜୁଅଛି ଚିର ସମୟ ?

 

ରୂପର ଦେବତା ସେ ଭୁବନେ ପ୍ରୀତି-ପଶେ

ଭିଡ଼ିବା ପାଇଁ ବୁଲେ ଭୁବନେ,

ତେଣୁ ରୂପର ମେଳା ଭୁବନେ କରେ ଖେଳା

ତେଣୁ ପ୍ରଣୟ ଲୀଳା ଜୀବନେ ।

 

-୩-

 

ମଦନ ଦେବରାଜ ଜଗତେ ବିଜେ ଆଜ

କୁସୁମ-ଧନୁ ଥୋଇ ଉରସେ

ମଳୟ ରଥ ତାର ଚଳଇ ଅନିବାର,

ଧରଣୀ ଥରେ ତାର ପରଶେ ।

 

 

 

ଆକାଶ ଭରି ଉଡ଼େ ତାହାର ରଥ-ଚୁଡ଼େ

ନୀଳ-କେତନ ତାରା ଅବନୀ,

ତା ରଥ-ଚକ-ଧୂଳି ଶରୀରେ ନେଇ ତୋଳି

ହୋଇଛି ଆଜି ସୁନା-ବରଣୀ ।

 

କପୋତ କପୋତୀରେ ଡାକୁଛି ବନ-ତୀରେ

ପୂଜିବା ଲାଗିଏଇ ଦେବତା,

ହରିଣ-ଅଙ୍ଗନା ନାହିଁ କରୁଛି ମନା

ହରିଣ ତରୁଣର ମମତା ।

 

କପାଟ କାହିଁ ମେଲି ଫିଟାଇ କାଞ୍ଚେଲି

ପ୍ରଣୟ-ତାପେ ନବକୁମାରୀ

ଡାକେ ସେ ଦେବତାରେ ନଇଁ ଆପଣା ଭାରେ

ହେ ମାର, ରଖ ମୋତେ ନ ମାରି ।

 

ମନୋଜ ସେ ଦେବତା ବୁଝେ ମରମ-ବ୍ୟଥା

ଏକକୁ ଆନ ସାଥେ ମିଳାଏ

ତା ଯୋଗୁ ଏ ଜଗତ ମଧୁର ଅବିରତ

ମରତେ ସୃଜନ ସେ କରାଏ ।

 

ସକଳ ଋତୁ ଧରି ଆସେ ସେ ଅଭିସରି

ରାଜାର ବେଶେ ଆସେ ଫଗୁଣେ

ତା ଆଗମନେ ତେଣୁ ଜୀଅଁଇ ପଥ-ରେଣୁ

ଜଡ଼େ ଜୀବନ ଫୁଟେ ତା ଗୁଣେ ।

 

ସେଇ ସେ ରୂପରାଜ ଜଗତେ ବିଜେ ଆଜ

କୁସୁମ ଚାପେ ଗୁଣ ବସାଇ

ଅବନୀ ଅବଳାର କରେଣ ଫୁଲହାର

ଘରେଣ ନେବ ତାକୁ ରସାଇ ।

 

ତାହାର ବନ୍ଦନା ତରୁଣୀ ଅଙ୍ଗନା

କରଇ ସ୍ମିତ ହସି ଗୋପନେ

ତରୁଣ ଦଳ ଦଳ ଅବିରେ ଛଳ ଛଳ

ତା ପୂଜା ଲାଗି କଲେ ଭୁବନେ ।

***

 

ଇରାନୀ-କିଶୋରୀ

 

[ଇରାନୀମାନେ ଭ୍ରାମ୍ୟମାଣ ଜାତି । ଲେଖକର ଖୋର୍ଦ୍ଧା ଅଧ୍ୟୟନ କାଳରେ ଏଇପରି ଏକ ଇରାନୀ ଦଳରେ ଗୋଟିଏ ଅସାଧାରଣ ସୁନ୍ଦରୀ ବାଳିକା ଦେଖିବାର ତା ଭାଗ୍ୟରେ ଘଟିଥିଲା-। ଏଇ କବିତାଟି ସେଇ ବିଦେଶିନୀ ଉଦ୍ଦେଶ୍ୟରେ ଲିଖିତ ।]

 

ଇରାନୀ କିଶୋରୀ !

ଗୁଲ୍ ବଦନ ତବ ନ ହୁଏ ପାଶୋରି ।

 

ଭୁଳିବି କିପରି ମୁଁ; ରୂପ କି ହୁଏ ଭୁଲି

ଅଲିଭା ରେଖା ରଚେ ବୁକୁରେ ତାର ତୁଳି ।

 

ତା ଭାଷା, ସବୁ ଭାଷୁଁ

ବଳଇ ମିଶୁ ମିଶୁ ।

 

ନୟନ, ବୁକେ ଯାଏ ପରଶି

ଜାଣ କି ତା ଇରାନୀ ରୂପସୀ ?

 

ଯୁଗ୍ମ ବେଣୀ ଶୋଭା କନକ ଗଳା ବାହି

ମରଣ ନିଜେ ସହି ରହିବ କ୍ଷଣେ ଚାହିଁ ।

 

ଦ୍ରାକ୍ଷା-ସୁକୋମଳ –

ଅଧର, ଟଳମଳ –

 

ବୟସ ବିଷେ, ଯାର ପାନ ଗୋ

ପୀୟୂଷୁଁ ସ୍ୱାଦୁ, ମଧୁ ଘ୍ରାଣ ଗୋ ।

 

ସେ ବିଷ ହାୟ ସଖୀ; କା’ ଓଠେ ଦେଲ ଢାଳି

ଆଶିଷ ସମ ଭୁଜ କଣ୍ଠେ କା’ର ଚାଳି ?

 

କବରୀ ଗୁରୁ ବାସେ

ବୁଡ଼ାଇ ମଧୁ-ରାସେ ।

 

ପ୍ରଣୟୀ-ବୁକୁ ଦେଲ ମଥାଇ

ସେ ବିଷ-ପାନେ ଚେତା କି ଥାଇ ?

 

ତୁମରି ସ୍ମୃତି ପଥେ ଭାବନା ମୋର ଚଳେ

ଗୁଲ୍‍ର-ଉପବନେ ପ୍ରଳାପ ଯହିଁ କରେ ।

 

ମୁଖରା ବୁଲ୍ ବୁଲ୍‍

ଝରଣା କୁଲ୍ କୁଲ୍ ।

 

ଦ୍ରାକ୍ଷା-ଛାୟା ଭେଦି ବହଇ,

ଜ୍ୟୋତ୍ସ୍ନା ପୁଣି ହୃଦ ଦହଇ

 

ସେ ମଧୁ-ଉପବନେ ଜ୍ୟୋତ୍ସ୍ନା ରାତେ ବସି

ରସିକ ଯୁବା ଡାକେ ପ୍ରିୟାରେ ପରିହାସି ।

 

ଗୁଲ ମଧୁର ଦଳେ

କବରୀ ଭରି, କରେ ।

 

ସିରାଜି ଧରି ଆସେ ପ୍ରେୟସୀ

ପୀୟୂଷ ଗତିପଥେ ବରଷି ।

 

ପ୍ରଣୟ-ସଙ୍ଗୀତ ରସିକ ଯୁବା ଗାଏ

ରୂପସୀ ସଖୀ ଆସି ସିରାଜି ଢାଳି ଯାଏ ।

 

ଧରଣୀ ରହେ ଦୂରେ;

ଜୀବନ-ନଦୀ କୂଳେ ।

 

ସ୍ୱପନ-ପୁରୀ ହୁଏ ରଚନା

ଜୀବନେ ନାହିଁ ଯହିଁ ଶୋଚନା ।

 

ଏପରି ଉପବନେ ତୁମେ କି ଆଜି, ସଖୀ,

ପ୍ରଣୟୀ ଛାତି ପରେ ମୁଗ୍ଧ ମୁଖ ରଖି ।

 

ରୁବାଇୟାତ୍ ଶୁଣି

ପ୍ରୟକୁ ପୁଣି ପୁଣି ।

 

ଗେଲେଇ କହ – ‘‘କର ଟୀକା ହେ

ବୁଝି ମୁଁ ନାହିଁ ପାରେ, ଶିଖା ହେ ।’’

 

ନଗରୁ ନଗରେ ଗୋ ମଳୟ ସମ ବହି

ବେପଥୁ କେତେ ବୁକେ ସୃଜିଛ ଜାଣ ସହି ?

 

କେତେ ଯେ ଆଖି ଆଶା

କେତେ ଯେ ବୁକୁ ଭାଷା ।

 

ବୁଝି କି ପାରିଛ ଗୋ ବାଳିକା

ଲକ୍ଷ ହୃଦ ମନୋନାୟିକା ?

 

ଅଜଣା ଦୂରେ ତମେ ମୁହିଁ ଅପରିଚିତ

ପୂଜାରୀ ସମ ବସି ରଚଇ ସ୍ତୁତି ଗୀତ ।

 

ଦେଖିଛି ଯେ ନୟନେ

ସେ ରୂପ, ସେ ବଦନେ ।

 

ପାଲଟିଥିବ କବି ନିକର

ଗାଇ ସେ ଶୋଭା ମୁଖଟିକର !

 

ପୂଜାରୀ ମାଗେ ନାହିଁ ଦେବତା ପରିଚୟ

କେବଳ ଆରାଧନେ ତା ସୁଖ ସଞ୍ଚୟ ।

 

ତେଣୁ ଅପରିଚିତ

ବିଦେଶୀ ଗାଏ ଗୀତ ।

 

ତୋ ଲାଗି ବିଦେଶିନି କିଶୋରୀ,

ସେରୂପ ନିକି ହୁଏ ପାଶୋରି ?

 

ନିରତ ଅୟି ସଖୀ ! ହୃଦୟେ ଅଛ ଜାଗି

ସେ ବେଣୀ-ହଲା ଗତି ହୃଦୟେ ଅଛି ଲାଗି ।

 

କନକ ବାହୁଶିରୀ

ଏ ବୁକେ ଅଛି ଭିଡ଼ି ।

 

ତରଳ କୁବଳୟ-ନୟନ

ବୁକେ ସପନ କରେ ଚୟନ ।

 

କାହିଁ ଗୋ ଗଲ ସଖୀ ! ଆଉ ତ ନାହିଁ ଦେଖି

ଜାଣିଲି ନାହିଁ କିଏ ସେ ଓଠେ ବୋକ ଲେଖି ।

 

ଭାବିଲା ଏ ଜୀବନ

ଖାଲି ଏକ ସ୍ୱପନ ।

 

ଭୁଲିଲା ଏଥି ଯେତେ ଶୋକ ଗୋ

ଅଧରେ ଲେଖି ଥରେ ବୋକ ଗୋ ।

 

କାହାର ହେଲ ଅବା କରମଶୀଳା ବଧୁ,

ସମୟ କଟେ ଗୁରୁ ଶ୍ୱଶୁର ବୋଲ ସାଧୁ

 

ଘରଣୀପଣ ନିକି

ନେଲାଣି ଟିକି ଟିକି ।

 

ସେ କାଳ ସେ କିଶୋରୀ ଲୀଳା ଗୋ ।

ଭୁଲିଛ ପର-ବୁକୁ-ଚିରା ଗୋ ।

 

ଜୀବନେ ଯଦି କେବେ ଦେଖା ବା ହୁଏ ପୁଣି,

ଦେଖିବି ନାହିଁ ମୁଁ ତ ସେ ତରଳ-ତରୁଣୀ ।

 

ଶିଥିଳ ଚମ ପରେ

ଜରତା ନାଟ କରେ ।

 

ନୟନେ ମରଣର ଛାୟା ଗୋ !

ବେପଥୁ ଧରିଥିବ କାୟା ଗୋ !

 

ସେ ଛବି କବି ବୁକେ ଆଣିବ ବାଧାଗୁରୁ,

ଜରାରେ ପ୍ରାଣ ତାର ଜୁହାରେ ନିତି ଦୂରୁ ।

 

ତେଣୁ ଗୋ ବିଦେଶିନି

ଘନ-ନୀଳ-କେଶିନି ।

 

ଧବଳ-କେଶେ ଦେଖା ପାଇଁ ମୋ ।

ତିଳେ ହେ ଅଭିଳାଷ ନାହିଁ ଗୋ’ !

 

ମୋ ପାଇଁ ଥାଅ ଚିର କିଶୋରୀ ସୁତରଳା

ଅଧରେ ହଳାହଳ ନୟନେ ବାଣ-ଛଡ଼ା ।

 

ଚରଣେ ଚିରନାଟ

ମରମେ ପ୍ରୀତି-ହାଟ ।

 

ଅଙ୍ଗ ପ୍ରତି ଲୋମେ କଟାରି

ହେ ସଖୀ ! ମୁଁ ସେ ରୂପ-ଭିକାରି !

***

 

ବିରହୀ ଘନ

 

କି ହଜିଛି ହେ ବାରିଦ ! କେଉଁ ରତ୍ନ ପାଇବାର ଆଶେ

ଚିର ତବ ଅନ୍ୱେଷଣ ଏ ନଭସେ ଆକୁଳ ନିଶ୍ୱାସେ,

 

କ୍ଷୂର୍ଣ୍ଣ ପ୍ରାଣେ ଖୋଜି ବୁଲ ଆକାଶର ବିରାଟ ପ୍ରାନ୍ତରେ

କି ବ୍ୟଥା କି ରୁଦ୍ଧ ଦାହ ଅଛି ଘନ ତୁମରି ଅନ୍ତରେ,

 

ଯୁଗ ଯୁଗାନ୍ତରୁ ଖୋଜି ଉପଶାନ୍ତି ପାଇନାହିଁ ତାର

ବ୍ୟଥା ଅନିବାର ।

 

ବିରାଟ ଗମ୍ଭୀର ସଦା ବଦନର ଛବି ତବ ଘନ !

ନିରାଟ ବିଷାଦ-ରେଖା କପାଳରେ ହୋଇଛି ଲିଖନ ।

 

ଚିନ୍ତାର କାଳିମା ଛାୟା ଗଣ୍ଡେ ତବ ହୋଇଛି ଅଙ୍କିତ

କେତେ ଯୁଗ ତିକ୍ତ-ସ୍ମୃତି ହୃଦେ ଯେହ୍ନେ ହୋଇଛି ସଂଚିତ ।

 

ସେ ସ୍ମୃତିର କଶାଘାତେ ପ୍ରାଣ ଯେବେ ହୁଅଇ ବିକଳ

ରୋଦ ଅବିରଳ !

 

 

 

କିଏ ସେ ଲାବଣ୍ୟବତୀ ପୁଣ୍ୟବତୀ ଭାଗ୍ୟବତୀ ବାଳା;

ଯାହାପାଇଁ ହୃଦେ ଘନ, ଧରିଅଛ ଏ ବରଣ-ମାଳା

 

ନୟନର ତପ୍ତ ଲୁହେ ଆର୍ଦ୍ର କରି ଆକାଶ ଅବନୀ

ଯୁଗ ଯୁଗୁଁ ବୁଲୁଥାଅ କି ବ୍ୟାକୁଳେ ସମସ୍ତ ଧରଣୀ !

 

ମନ୍ଦ୍ରନାଦେ ଡାକୁଥାଅ, ଅନ୍ତରୀକ୍ଷ ଯାଉଥାଏ ଭରି

କାହାନାମ ଧରି !

 

କେମନ୍ତେ ସେ ଅଭାଗିନୀ ହୃଦହୀନା କଠିନା-ପାଷାଣୀ

କେଉଁଠାରେ ଅଛି ରହି ହୃଦଫଟା ଏ ଡାକ ନ ମାନି

 

କେଉଁ ଆଶେ ଅଛି ସେ’ବା ପ୍ରାଣଭରା ଏ ପ୍ରେମ ତିଆଗି

ବକ୍ଷଭରା ଏ ସେନେହ ଫିଙ୍ଗି ଅବା ଦେଇଛି କି ଲାଗି;

 

ଏ ଡାକେ ସେ ନାରୀ ରକ୍ତ ଉତ୍ତରଳେ ଉଠେ ନିକି ଫୁଟି

ବିରହରେ ଲୁଟି !

 

ବିଶ୍ୱେ ତୁମେ ବାରିବାହ ପ୍ରଣୟୀର ଚିର ଭାଇଟିକା

ତେଣୁ କୁଞ୍ଜେ ତବ ଆଶେ ଫୁଟିଉଠେ କିଶୋରୀ ଯୁଥିକା

 

ବନ୍ଧୁ ବୋଲି ନାଚିଉଠେ ତାଳେ ତାଳେ ବିରହୀ ବରହୀ

ଯୁବକ ଯୁବତୀ ଗଣ୍ଡେ ବିଚ୍ଛେଦର ଲୋତକ ଗଡ଼ଇ

 

ବିଶ୍ୱର ସକଳ ହିୟା କାଟି ହୁଏ ପୁଷ୍ପଶର-ଧାରେ

ତବ ଅଭିସାରେ ।

 

ତୁମ ପରି ବନ୍ଧୁ ଘନ ଏ ଦୀନର ହଜିଛି ରତନ

ପ୍ରଣୟର ତାରା ଗୋଟି ହୃଦାକାଶୁ ଲଭିଛି ପତନ

 

ଜୀବନ ଲାଗୁଛି ଶୂନ୍ୟ, କ୍ଷୁଦ୍ର ପ୍ରାଣ ହାହାକାରମୟ

ପଲକେ ପଲକେ ଛିଣ୍ଡି ବେଦନାରେ ପଡ଼େ ମୋ ହୃଦୟ

 

ଆସ ସମ-ଦଶ-ବନ୍ଧୁ ମିଳାଇବା ଉଭୟେ ଲୋତକ

ଶାନ୍ତି ବିଶେଚକ ।

***

 

ପ୍ରାବୃଟ ସମ୍ଭାଷଣ

 

-୧-

 

ବିରହୀ ଯକ୍ଷର ବାର୍ତ୍ତା

ବକ୍ଷ ପରେ ଆଙ୍କିରଖି ଘନ

ଆସିଛ କି ପକ୍ଷେ ତବ

ସାଉଁଳାଇ ଭୂଧର ଗଗନ ।

 

ଯିବ ସେ ଅଳକା-ପୁରେ;

କାନ୍ଦେ ଯହିଁ ଯକ୍ଷ ବିରହିଣୀ

ଗାଲେ ହାତ, ଭାଲେ ସ୍ୱେଦ,

ବୁକେ ତିକ୍ତ ବିଳାପ ରାଗିଣୀ ?

 

କର୍ପୂର-ଚନ୍ଦନ ବୋଳେ,

ଯାଉନି ତା ବେଦନା ଅମାପ,

ତୁମର ଶୀକର ଘନ,

ମୁଞ୍ଚିକି ହେ ପାରିବ ସେ ତାପ ?

 

 

 

-୨-

 

ଏତେ ଦିନେ ଥିଲ କାହିଁ ?

ସିନ୍ଧୁ ପାରେ କେଉଁ ସାଗରିକା

ମେଲିଲା କି ବେଳାତଟ-

ଶୈଳେ ବନେ ପ୍ରୀତି ମରୀଚିକା ?

 

ସେ ଦୂର ବେଳାରେ ଘନ,

ତାହା ସଙ୍ଗେ ଖେଳି ଲୁଚକାଳି

କଟାଇଲ ପଞ୍ଚ ଋତୁ

ସିକ୍ତ କରି ସ୍ୱର୍ଣ୍ଣ-ସିନ୍ଧୁ ବାଲି ?

 

ଦେଲା ନିକି ପ୍ରତିଦାନ

ଘନ ତବ ମଧୁ ସୋହାଗର,

ମେଲାଣି କି ନେଇ ତେଣୁ

ଫେରିଅଛ କୋପ ଜର ଜର ?

 

 

 

 

 

 

-୩-

 

ସାଗର ଏ ପାରେ କିନ୍ତୁ

ପୀରତିର ବସିଛି ପସରା

ରାଗର ବେପାରେ ଏଥି

ନାହିଁ ଘନ ନିକଷ-ଘସରା

 

ଅଯାଚିତ କୋଳାକୋଳି

ଅଯାଚିତ ପୀରତି ସୁଆଗ,

ଭୃଙ୍ଗ ମୁଖେ ଆପେ ଆପେ

ପୁଷ୍ପ ଦିଏ ଚଖାଇ ପରାଗ ।

 

ଏଥି ଆଉ ମାନ କିପାଁ ?

ଗୁରୁଧ୍ୟାନ ଆକାଶର ତଳେ ?

ଏଥି ପରା କୋଟି ହିୟା

ପ୍ରେମଦାନେ କାନ୍ଦଇ ବିକଳେ !

 

 

 

 

ବିରହୀ ତୁମ୍ଭର ଦେଖ

ଗିରିକୁଞ୍ଜେ ଉଚ୍ଚେ ରଚେ କେକା,

ଗୃହିଣୀରେ ଘରେ ରଖି

ପରବାସୀ ନାହିଁ ଯାଏ ଏକା;

 

ଧରଣୀ-ପୁଲକ ବତ

ନୀପଜାଳ ଉଠୁଅଛି ଫୁଟି,

ଯୂଈ କିଆ ମଲ୍ଲି ଫୁଲୁ

ସଉରଭ ଭାସିଥାଏ ତୁଟି ।

 

ଆସ ସଖା, ଆଷାଢ଼ର

ଆଦ୍ୟ ଦିନେ କରେ ସମ୍ଭାଷଣ,

ଧରଣୀ କାମିନୀ ତାର

ଥୋଇଅଛି ପ୍ରୀତି-ଆୟୋଜନ ।

***

 

ଯଥାସ୍ଥାନ

 

[ସନ୍ତାନପ୍ରସବ ପୂର୍ବେ]

 

-ତରୁଣ-

 

କୁଟୀର ଆବୋରି ସଖୀ ! ରହିଥାଅ ଏଥି,

ଯିବି ମୁହିଁ ଦୂର ବନେ, ଆଣ ମୋ କୁଠାର,

ଆଣ ତୀରପୂର୍ଣ୍ଣ ତୁଣୀ, ଶିଥିଳ ଧନୁକ,

ସ୍କନ୍ଧେ ବହି ଯିବିଦୂରେ – ନିବିଡ଼ କାନନେ

ଘଞ୍ଚ ବନସ୍ପତି ଦେହେ ଘଷାଇ ଏ ତନୁ,

ପ୍ରସ୍ତର-କଠିନ ପଥେ ଚାଳି ଏ ଚରଣ,

ଯୁଝି ବ୍ୟାଘ୍ରସିଂହ ସାଥେ ଆଣିବି ସୁତନୁ,

ଦୁହିଁଙ୍କର ଅନ୍ନ ଖୋଜି, ତୁମେ ରହ ଏଥି

ପ୍ରତିକ୍ଷଣ ମୋ ସରଣୀ ଚାହିଁ ଗୋ ସୁନ୍ଦରି !

 

-ତରୁଣୀ-

 

ରହିବି ମୁଁ ଏକା ଏଥି ? ସାଥେ ନିଅ ମତେ ।

ତୁମେ ଯାଅ ଦୂରେ ଚାଲି, ଏ କୁଟୀରେ ବସି

ଜାଣ କି କେମନ୍ତେ କଟେ ଦୀର୍ଘ ଦିନ ମୋର ?

କେତକୀର ବୃତିଘେରା ଏ ଅଙ୍ଗନ ଭୂଇଁ

ପ୍ରହରକେ ପଞ୍ଚ ବାର ଭୂମେ ଆନମନେ,

ଥର ଥର ଗଣି ମନେ ବେତକୀ କୋରକ,

ପୁଣି ଭୁଲି ପୁଣି ଗଣେ, ପୁଣି ଆସେ ଭ୍ରମି,

ତଥାପି ନ ହୁଏ ସଂଖ୍ୟା । ଦୂର ପଥେ ଚାହିଁ

ଶୂନ୍ୟମନେ ଘଡ଼ି ଘଡ଼ି ଦ୍ୱାରେ ରହେଁ ବସି,

ଦେଖୁଥାଏଁ ଖାଲି ନଭେ ଧବଳ ବଳାକା

ଉଠିବାର ଦୂର ସରେ । ମଧ୍ୟାହ୍ନେ ତପନ

ତାପିଲେ କିରଣ-ଜାଳେ ଗଗନ ଧରଣୀ,

ମାତୃହୀନ ପକ୍ଷି-ଶିଶୁ ପରି ମୁଁ ହେ ନାଥ,

ଶ୍ରାନ୍ତ, କ୍ଲାନ୍ତ, ଅବସନ୍ନ, ଚମ୍ପକର ଛାୟେ

ବସି ବସି କାଟେ ନଖେ ଧରଣୀରେ ରେଖା ।

ଉପରେ ଡାକଇ କାକ, ଦୂର ପ୍ରେୟସୀରେ

ଆସି ଭୋଗିବାକୁ ପାଶେ ଚମ୍ପକର ଛାୟା,

ତଳେ କରେ ସୁଖ-କ୍ରୀଡ଼ା ଚଞ୍ଚଳ ଗୁଣ୍ଡୁଚି

ତାପ-କ୍ଲାନ୍ତା ପ୍ରେୟସୀରେ ଅଣାଇ ପ୍ରମାଦ ।

ବଡ଼ କଷ୍ଟ ଏ ଯେ ନାଥ, ସାରାଦିନ ଧରି

ଏକାକି ବଞ୍ଚିବା ଏଥି ଆପଣାର ଛାୟେ

ଚମକ ଆସଇ ମନେ ନିଜ ପଦ-ପାତେ

ଚମକି ଫେରି ମୁଁ ଚାହେଁ ଆଗପଛ କରି

ଦ୍ୱିତୀୟର ଛାୟା ଭାଳି । ନିଅ ମତେ ସାଥେ,

ସୁଖ ନାହିଁ ଲାଗେ ମତେ ଅଳସ-ଜୀବନେ ।

ତୁମରି ସଙ୍ଗତେ ଯିବି ପଦ ଅନୁସରି ।

 

-ତରୁଣ-

 

ସାଥେ ଯିବ ତୁମେ ମୋର, କିବା କଥା କହ ?

କଙ୍କର-ବନ୍ଧୁର ପଥେ ତୁଷାର ଧବଳ

ଚରଣଯୁଗଳ ବାଜି ଭଜିବ ରକ୍ତିମା ।

ବନ ଗୁଳ୍ମ କଶାଘାତେ କୋମଳାଙ୍ଗୁ ତବ

ଫୁଟିବ ଶୋଣିତ ଧାରା । ପଥଶ୍ରମ ସ୍ୱେଦେ

ଶୀତପଦ୍ମ-ହୀନଶୋଭା ଧରିବ ଏ ମୁଖ,

ଅଂଶୁମାଳୀ-ତାପେ ପୁଣି ତପ୍ତ ହେଲେ ଧରା,

ଲାଗିବ ଏ ବନଭୂମି ତପ୍ତ ଲୌହ ସମ

ସେ ପେଲବ ପଦଯୁଗେ । ଯିବ ସାଥେ ମୋର

ନାରୀ ତୁମେ, ପୁରୁଷ ମୁଁ, ଭୁଲ ନା ଏ କଥା ।

 

 

 

-ତରୁଣ-

 

ସେ କି କଥା ହେ ସୁନ୍ଦର ! ନାରୀ ବୋଲି କିହେ

ସକଳ ଜୀବନ ମୋର କୁଟୀର ପ୍ରାଙ୍ଗଣେ

ବଦ୍ଧଜଳ ସମ ବହି ଭେଟିବ ମରଣ ?

ଆକାଶ ରହିବ ଉଚ୍ଚେ ଚନ୍ଦ୍ରତାରା ଧରି,

ଶୀତକାନ୍ତ ଛାୟା ଘେନି ରହିବ କାନନ,

ହଂସିନିକୂଜିତ ଦୂର ବନତରଙ୍ଗିଣୀ

ବହିବ ଆପଣା ପଥେ, ଏଥି ରହି ଏକା

ନିର୍ଜନ, ନୀରବ କ୍ଷୁଦ୍ର କୁଟୀର ଆବୋରି

ଅସହାୟ ସମ ମୁହିଁ କାଟିବି ଜୀବନ ?

ବସନ୍ତ ଆସିଛି ଆଜି, ଆସିଛି ମଳୟ,

ବନେ ବନେ ସ୍ୱଣ୍ଣରେଣୁ ଦେଇଛି ବିଛାଇ

ଫାଲ୍‍ଗୁନର ନବ ରବି, ଉଚ୍ଛନ୍ନ ମୋ ମନ

ଦେଖିଚି ସୁଦୂର କେଉଁ ସରତୀରେ ବସି,

ଖେଳୁଥାନ୍ତି ଲୁଚୁକାଳି ଚକୋର ଚକୋରୀ ।

ତପନ-ଉନ୍ମୁଖ ଲକ୍ଷ ଶତଦଳ ମେଳେ

ଦେଖନ୍ତି ସରାଳୀ କେହ୍ନେ ପ୍ରେୟସୀରେ ତାର

ଗ୍ରୀବା ଟେକି ଉଚ୍ଚେ କରେ ପ୍ରେମ ନିବେଦନ,

ମୃଣାଳ ଦେଖାଇ ପୁଣି ଡାକୁଥାଏ ପାଖେ ।

ଦେଖନ୍ତି ମୁଁ ବନେ ବନେ ମୃଗ-ମୃଗୀ-କ୍ରୀଡ଼ା

ଲତା-ବନଷ୍ପତି ଲୀଳା ଆଶ୍ଲେଷ-ସୁଆଗେ ।

ଘେନିଯାଅ ସାଥେ ମତେ, ନାରୀ ବୋଲି ନାଥ,

ଏମାନ କି ଦେଖିବାର ସାଜେ ନାହିଁ ତାରେ ?

 

-ତରୁଣ-

 

ଓହୋ ତନ୍ୱି, ସେ ସବୁ ତ ବିଳାସର କଥା ।

ଏ ତୋହର ସ୍ୱର୍ଣ୍ଣଗଣ୍ଡ ଯେ ଦିନ ଏ ବୁକେ

ପିଟିବ ମନ୍ମଥ-ବାଣ, ଏ କୁଟୀର ତେଜି

ଘେନିଯିବି ଦୂର କୁଞ୍ଜେ, ମୃଗମୃଗୀ ଯହିଁ

ଗ୍ରୀବା ପରେ ଗ୍ରୀବା ରଖି ଲଭୁଥିବେ ସୁଖ,

ଭୃଙ୍ଗ ଯହିଁ ଚୁମ୍ୱୁଥିବ ନିବିଡ଼େ କୁସୁମେ,

କୋକିଳା ପ୍ରିୟରେ ତାର ମୁଖରି କାନନ

ଡାକୁଥିବ କଳକଣ୍ଠେ, ତହିଁରେ ସୁନ୍ଦରି,

ଘେନି ତତେ ମିଶାଇବି ସେ ପ୍ରେମ ଉତ୍ସବେ

ମୋହର ଆଶ୍ଲେଷ-ସୁଖ, ତହିଁ କିବା ବାଧା ?

ମୁଁ କିନ୍ତୁ ଭ୍ରମେ ଯେ ସଖୀ ପର୍ବତେ ପର୍ବତେ,

ଭୀମ ଅରଣ୍ୟାନୀ ଭେଦି ଗତିପଥ ମୋର,

ବ୍ୟାଘ୍ରସିଂହ ପଛେ ଧାଇଁ କରେ ଆହରଣ

ଖାଦ୍ୟ ସଖୀ, ଉଦରର । ତୁମେ ଯିବ ସାଥେ

କିପାଁ କହ କୋମଳାଙ୍ଗି !

 

-ତରୁଣୀ-

 

ଯିବି ମୁଁ ନିକର ।

ଧରିଲେ ଧନୁକ ତୁମେ, ମୁଁ ଧରିବି ବାଣ,

ପଛେ ପଛେ ଥିବି ରହି ନ ଡରି ଶ୍ୱାପଦେ ।

ଚାଲିଥିବି ତବ ସାଥେ ପର୍ବତୁ ପର୍ବତେ,

ଦୂର ଦୂର ବନ ପଥ ବାହିବି ଆନନ୍ଦେ

ମଧ୍ୟାହ୍ନର ଅଗ୍ନିଭେଦି; ଫେରିଲେ କୁଟୀରେ

ଆଣିବି ଏ ସ୍କନ୍ଧେ ବହି ଦିନର ଆହାର ।

ସୁଖ କିହେ ନାହିଁ ତହିଁ ? ଏ କୁଟୀର କଣେ

କରମ ବିହୀନ ଏହି ଅଳସ-ଜୀବନୁ

ସେ ଜୀବନ ଭଲ ନିକି ?

 

 

 

 

 

-ତରୁଣ-

 

ଭଲ ସଖୀ ସେ ସିନା ଗୋ ପୁରୁଷ ଜନରେ ?

ନାରୀ ତୁମେ ଯିବ କିପାଁ ଦୂର ବନଭୂମେ ?

କଠିନ ସରମେ ସଖୀ, ହୋଇବ କର୍କଶ

ଏ କୋମଳ ତନୁଲତା, ଚମ୍ପକ ଅଙ୍ଗୁଳି

ଦିଶିବ ପ୍ରେୟସି, ଶୁଷ୍କ ଆରଦ୍ରକବତ,

ମୃଣାଳ ଏ ଭୁଜ ଦୁଇ ମାଂସପେଶୀ ବହି

ଯଷ୍ଟିମମ କଠିନତା ଲଭିବ ଅଚିରେ,

ସ୍ୱଣ୍ଣଗଣ୍ଡ ଦୁଇ ନିତ୍ୟ ରବି-ତାପ ଲଭି

ତାମ୍ରଳ ଦିଶିବ ସଖୀ, କି ଆନନ୍ଦ ଲଭେ

ହରାଇବ ରୂପସୀ ଗୋ ! କୋମଳ ବପୁର

ଏ ସ୍ନିଗ୍ଧ ମଧୁର ରୂପ ?

 

-ତରୁଣୀ-

 

ଆଉ ଥାଉ ନାଥ,

ଚିରଦିନ ରୂପ-ସ୍ତୁତି ତିକ୍ତ ଲାଗେ ମତେ ।

ରୂପ ଲାଗି ପ୍ରାଣ ଯଦି ସହେ ଏତେ ବାଧା,

ଜାଣିଲି ତେବେ ଗୋ ରୂପ ଅଭିଶାପ ମୋର !

 

-ତରୁଣ-

 

ଏତେ ବ୍ୟଥା ପ୍ରାଣେ ସତେ ? ଶାନ୍ତ ହୁଅ ସଖୀ !

ଆସ ବନେ, ଧର ଧନୁ, ଅନୁସର ମତେ,

ତୋହରି ଆନନ୍ଦ ସିନା କାମ୍ୟ ଏ ଜନର ।

(ସନ୍ତାନ ପ୍ରସବ ପରେ)

 

-ତରୁଣ-

 

ପ୍ରଭାତ ଆସିଛି ପୂର୍ବେ, ଅୟି ସୁକୁମାରୀ !

ତେଜି ତ୍ୱରା ଗୃହସୁଖ ଆସ ସାଥେ ମୋର,

ଧର ବାଣ ନିଜ ହାତେ; ଦିଅ ମତେ ଧନୁ,

ଯିବା ଦୂର ବନେ ଚଳି, ଖୋଜିବା ଆହାର ।

 

-ତରୁଣୀ-

 

କିସ ନାଥ ? ଜାଣନିକି ନବୀନ ଅତିଥି

ଆସିଅଛି ମୋ ଦରିଦ୍ର ଗୃହ ଉଜଳାଇ ?

କେ ତାର କରିବ ସେବା ? ଯାଅ ତୁମେ ଆଜି

ଅନ୍ନ ଆହରଣେ ଦୂର ଗିରି ବନମାଳେ

ଏକାକୀ କୁଠାରହସ୍ତା ଆଜିଠାରୁ ନାଥ,

କେତକୀର ବୃତି ପାରେ ନାହିଁ ମୋ ସଂସାର !

***

 

ସାଫୋର ବ୍ୟଥା

 

ଭର୍ତ୍ସନା କିପାଇଁ କର ଜନନୀ ଗୋ ଆଉ

କରାଙ୍ଗୁଳି ନାହିଁ ଚଳେ; ଏ ବୟନ ଥାଉ

ଦହେ ପ୍ରାଣେ ପଞ୍ଚଶର,

ତରୁଣ ସେ ଚୋରି ନେଇଅଛି ଚିତ୍ତ ମୋର ।

 

ଜନନୀ, କି ଲାଭ କହ ଦେଇ ମତେ ଗାଳି

ବୁଣିତ ନ ପାରେ ଆଉ ମୁହିଁ ପୂର୍ବପରି,

ସ୍ଥିର ନାହିଁ ରହେ ମନ,

ଭାଳି ଭାଳି ମୋ ମନରେ ସେହି ସେ ତରୁଣ ।

 

ସାଫୋ ପ୍ରସିଦ୍ଧ ଗ୍ରୀକ୍ ନାରୀ କବି । କିମ୍ୱଦନ୍ତୀ ଏହି ସାଫୋ କୌଣସି ଏକ ବିବାହିତ ଯୁବକର ପ୍ରେମ ପାଇଁ ପାଗଳିନୀ ହୋଇଥିଲେ । କିନ୍ତୁ ସେ ପ୍ରେମ ନ ପାଇ, କୌଣସି ପର୍ବତ ଶିଖରକୁ ଡେଇଁପଡ଼ି ଆତ୍ମହତ୍ୟା କରିଥିଲେ । ଏହି ଜ୍ୱଳନ୍ତ ଅନୁଭୂତି ଆଗ୍ନେୟଗିରିରୁ ଲାଭା ବାହାରିଲାପରି ପ୍ରେମ କବିତାରେ ବାହାରିଥିଲା । କିନ୍ତୁ ଦୁଃଖର କଥା ସାଫୋଙ୍କର ଅଧିକାଂଶ କବିତା ନଷ୍ଟ ହୋଇଯାଇଛି । ଅଛି କେତୋଟି ଭଗ୍ନାଂଶ ମାତ୍ର । ସେହି ଭଗ୍ନାଂଶମାନଙ୍କର କେତୋଟିର ଏଇ ଅନୁବାଦ । ବର୍ତ୍ତମାନ ସାଫୋ କବି ଅପେକ୍ଷା ପ୍ରଣୟିନୀ ଭାବରେ ବେଶୀ ପ୍ରସିଦ୍ଧ-

 

ଜନନୀ ମୁଁ ସୁତା-କଣ୍ଡା ପିଙ୍ଗି ନାହିଁ ପାରେ

କିପାଁ ତିରସ୍କାର ମତେ କର ବୃଥାଟାରେ ?

 

ସେହି ତରୁଣ ସୁନ୍ଦର

ଆଚ୍ଛନ୍ନ କଲେଣି ସାରା ଜୀବନ ମୋହର ।

 

ଜନନୀ ଅରଟେ ଚିତ୍ତ ରତ ନାହିଁ ରହେ,

କରାଙ୍ଗୁଳି କରେ ବ୍ୟଥା, ଜ୍ଜ୍ୱର ଓଠେ ଦହେ ।

 

ତମେ ଏ ବ୍ୟାଧିତ ଜାଣ,

ନାହିଁ ପାଇଥିବ କିନ୍ତୁ ମୋପରି କଷଣ ।

 

କଷଣେ ଭରଇ ପ୍ରେମ ମୋ ସାରା ଜୀବନ;

ତିକତ-ମଧୁର, ବ୍ୟଥା-ସୁଖ ଏ କଷଣ;

 

ପୁଷ୍ପ-ମାଳାର ବନ୍ଧନ,

ପିନ୍ଧିଲେ ଯନ୍ତ୍ରଣା, ଛିଣ୍ଡିବାକୁ ନୋହେ ମନ ।

 

ଚନ୍ଦ୍ର ଅସ୍ତ ଗଲେ, ଅର୍ଦ୍ଧ ନିଶା ହେଲା ଶେଷ

ଅନ୍ଧକାର ଭରିଲାଣି ସମସ୍ତ ଆକାଶ,

 

ନାଇଁ ଅରଲେ ସୁନ୍ଦର

ଏକା ଏକା ଏ ରଜନୀ ହୋଇଲା ଅସର ।

 

ସପ୍ତର୍ଷି ତାରକା ଗଲେ ସ୍ନାନ ଆଶେ ଚଳି,

ଚନ୍ଦ୍ର ଗଲେ ନିଭି, ରୂପା-ଦୀପ ରାତି ଜାଳି;

 

କଣ୍ଟ କାଳ ହେଲାପାର

ଏକା ଶୋଇ ଚାହିଁ ଅଛି ମୁହିଁ ଚକ୍ରବାଳ

 

ହେ ତରୁଣୀ, ତୁମ ପାଶେ ବସି ଯେ ତରୁଣ,

ନିରେଖୁଛି ତୋ ଗଣ୍ଡର ଲାବଣ୍ୟ-ଅରୁଣ

 

ଶୁଣୁଅଛି ତୋ ଓଷ୍ଠର କୋମଳ ଭାଷିତ,

ଦେଖୁଅଛି ତୋ ନେତ୍ରର ଚିତ୍ତଜୟୀ ସ୍ମିତ,

 

ମୋ ନେତ୍ରେ ସେ, ଦେବତ୍ୱର ନର-ଅବତାର

ତାକୁ ଦେଖି ମୋ ଶରୀରେ ଉପୁଜେ ଶୀତ୍କାର

 

ତାଙ୍କୁ ଦେଖିବାର ଦିନୁ ଶାନ୍ତି ଗଲା ପ୍ରାଣୁ,

ଥରିଲା ମୋ ଶରୀରର ଅଣୁ, ପରମାଣୁ,

 

ଦେଖୁ ଦେଖୁ ଆତ୍ମ-ହରା ହେଲି ମୁଁ ବିକାରେ

ହେଲି ଅଣଶ୍ୱାସ; ଭାଷା ଲୀନ ରସନାରେ ।

 

ଅଲକ୍ଷେ ମୋ ବକ୍ଷେ କିଏ ଜାଳିଲା ଇନ୍ଧନ

ଅଗ୍ନି-ଶିଖା ସାରା ଦେହେ କରିଲା ଚାଳନ ।

 

ଚକ୍ଷୁ ମୋର ଅନ୍ଧକାର ଦେଖିଲା ଜଗତ

ଶ୍ରବଣେ ଶୁଣିଲି ଶୂନ୍ୟ ମର୍ମର ସଙ୍ଗୀତ ।

 

ଧମନୀରେ ରକ୍ତ ହୋଇ ଆସିଲା ଶୀଥିଳ,

ପଡ଼ିଲି ଧରଣୀ ତଳେ ମୂର୍ଛା ହୋଇ, ଥୀର ।

***

 

ଘନ-ଶର୍ବରୀ

 

(ଗୁରୁ ଲଘୁ ନିୟମ ପାଳିବାକୁ ହେବ)

 

ଅମ୍ୱୁଦାବୃତ, ଅମ୍ୱରାଙ୍ଗନ

ଲୁପ୍ତ-ତାରକ-ଯାମିନୀ

ସଘନ ବରଷଣ ବଜ୍ରରଣ ରଣ

ନୃତ୍ୟ-ଚଞ୍ଚଳ-ଦାମିନୀ ।

 

ଭେକ ମୁଖରିତ ନିଖିଳ ପ୍ରାନ୍ତର

ବିଶ୍ୱ ଘନରସପ୍ଲାବିତ,

ଥରଇ କାନନ ଝରଇ ଶ୍ରାବଣ

ମାର୍ଗ ଭରି ଉଦ ଧାବିତ ।

 

ଇନ୍ଦ୍ର ଦିଗ୍‍ଗଜ ହସ୍ତ ବ୍ୟାକୁଳି

ପବନ ବହଇ ବତାସିଆ,

ଏ ଘନ ରଜନୀ କିପରି ବଞ୍ଚଇ

ତରଳ-ବୁକୁ ପରବାସିଆ ।

 

 

 

 

ବିରହି-ତରୁଣର ଛାତି କରତଇ

ଶୟନ ବିଷ ପରି ଲାଗଇ

ମାନସିଂହର ନିବିଡ଼ ଅନ୍ତରେ

ପ୍ରଣୟ ଛଳ ଛଳ ଜାଗଇ ।

***

 

ହେ ମୋର ପରମ

 

ଜନମେ ଜନମେ ହେ ଅବୁଝା ପ୍ରିୟ

ହୁଅ ତମେ ମୋର ପରମ; । ଧ୍ରୂ ।

କରୁଥିବି କ୍ଷମା

କ୍ରୋଧ ନୋହି ଜମା

ଜାଳୁଥାଅ ପଛେ ମରମ ।

 

ଆଘାତିଲେ ପାଦେ ଆଉଁଶିବି ସ୍ନେହେ

ତିଆଗିଲେ ଶିବ ପୂଜିବି ବିରହେ

ସ୍ୱପ୍ନ ଜାଗରଣେ

ତୁମରି ସ୍ମରଣେ

ଭରିବି ସକଳ କରମ ।

 

ଆନ କିଏ ଯଦି ଜିଣେ ତବ ମନ

ପାଦ ଧରି ତାଠୁ ଶିଖିବି ସାଧନ

ଜାଣ ଚିତ୍ତ ଚୋର

ତମ ଲାଗି ମୋର

ପୋଡ଼ି ହେବା ନାରୀ ଧରମ ।

 

ସେବିବାକୁ ଦିଅ, ଗଢ଼ିବାକୁ ଦିଅ

ଯୁଗେ ଯୁଗେ ଆଖି ଦେଖିବାକୁ ଦିଅ

ଦିନେ ହେଲେ ପରା

ସ୍ନେହେ ଢାଳି ଡୋଳା

ଦେବ ମୋ ସୁଖର ଚରମ ।

***

 

ହଂସହତ୍ୟା

 

ଧବଳ ରାଜହଂସ, ଋଜୁ ତା’ ଗ୍ରୀବା

ସ୍ଥୂଳ-ଗ୍ରଥିତ ମଲ୍ଲି-ମଳିକା କିବା ।

 

ସୁବର୍ଣ୍ଣ ଚଞ୍ଚୁପୁଟ-ହଂସୀଟି ତାର

ପ୍ରଣୟେ ବୋଳିଛି କି ହରିଦ୍ରାସାର ଯେ ।

 

ବିହରୁଥିଲା କେଉଁ ସରସୀ ଜଳେ

ପ୍ରେୟସୀ ଘେନି ସାଥେ ପ୍ରଣୟ ଭରେ ।

 

ନିର୍ମ୍ମମ ଆତତାୟୀ ମନୁଷ୍ୟ କାହିଁ

ଆଣିଲା ଧରି ଜିହ୍ୱା ଲାଳସା ପାଇଁ ।

 

ଆଣିଲେ ଯେବେ ଗୃହେ, କରୁଣ ରବ

କରି, ସେ କରୁଥାଇ ଦୁଃଖ ଲାଘବ;

 

ଦୁର୍ବଳ ପକ୍ଷ ଝାଡ଼ି ମୁକତି ଲାଗି

ଚେଷ୍ଟା ବା କରୁଥାଇ ବନ୍ଧନ ଭାଙ୍ଗି ।

 

 

 

ମୁକତି-ଚେଷ୍ଟା ଫଳେ ବନ୍ଧନ ବଢ଼େ

କରୁଣତର ହୋଇ ମରାଳ ରଡ଼େ ।

 

ଭୃତ୍ୟ କେ ବକ୍ର କରି ଗ୍ରୀବା ତାହାର

କହେ ‘ଦେଖାଉ ଆଉ କେତେ ବାହାର’ ।

 

ସନ୍ଧ୍ୟାରେ ଆସିଥିଲା, ନିଶା ବରାକୀ

ଯାପିଲା ନିରାହାରେ, କରୁଣେ ଡାକି ।

 

ପ୍ରଭାତେ ଗଲା ଦେଖା ଅବଶ ପକ୍ଷୀ

ପଡ଼ିଛି ଶୋଇ ଗ୍ରୀବା ପିଠିରେ ରଖି ।

 

‘ଆଉରି ମରି ନାହିଁ !’ – ଦେଖି କହିଲେ

ମାଂସାଶୀ ଗୃହସ୍ୱାମୀ ସବା ପହିଲେ

 

ଦିଅ ନା ଶେଷ କରି ରହିବ କିଆଁ

ଆସିଛି ଏତେ କଷ୍ଟେ-ଜାଳରେ ନିଆଁ !

 

ପାଶେ ମୁଁ ଥିଲି ଠିଆ ଅନାଇ ହଂସେ

ଦେଖାଇ ବୋଇଲେ ସେ ମଧୁର ହସେ ।

 

‘କାଇଁରେ, ଦେଖି ଦେଖି, ମୋଡ଼ିଲୁ ବେକ,

ପାରିବୁ ? – ଅନାଡ଼ି ତୁ ! – ଆନରେ ଡାକ ।’

 

ନିର୍ବୋଧ ଶିଶୁ ମୁହିଁ – ବୟସ୍କ ଆଗେ

ଯୋଗ୍ୟତା ଦେଖାଇବା ତୀବ୍ର ସରାଗେ ।

 

ଧଇଲି ମୃତ ପ୍ରାୟ ପକ୍ଷୀର ଗ୍ରୀବା

ମୋଡ଼ିଲି ବକ୍ରେ, ଇକ୍ଷୁ ଦଣ୍ଡ ସେ କିବା ।

 

ମରଣେ ମୁକ୍ତି ଲଭି ଚଳିଲା ହଂସ

ଶେଳ ବିନ୍ଧିଛି ସଦା ସ୍ମୃତି ନୃଶଂସ ।

 

ନିଜରେ ମଣେ ମନେ ମୁଁ ଆତତାୟୀ

ଭାଳଇ ସେ ପାପର କ୍ଷାଳନ କାହିଁ ?

 

ସେ ନିଶା, ସେ ମରାଳ, ସେ ଜୀବହତ୍ୟା

ଦିନ ଦିନକେ ମନେପଡ଼େ ଅଗତ୍ୟା ।

 

ଭଗ୍ନ ତା’ ଗ୍ରୀବାଦଣ୍ଡ, ମୃତ ଶୀରୀର

କରିଛି ହୃଦେ ବହୁ କ୍ଷତ ଗଭୀର ।

 

ସେ ଦିନ ସେ ମରାଳ ରିକ୍ତ ଉପାସେ

ହଂସିନୀ କଥା ତାର ପ୍ରତି ନିଶ୍ୱାସେ ।

 

ଭାବି କି ନାହିଁ ଥିବ ଚିତ୍ତରେ ତାର

ପଡ଼ି ତ ଥିବ ଖାଦ୍ୟ ଖୁଆଇବାର ?

 

ହଂସୀଟି ତାର ସରେ ଉଦ୍‍ଗ୍ରୀବ ହୋଇ

ଚଞ୍ଚୁରେ ଚଞ୍ଚୁ ପୂର୍ଣ୍ଣ ଆହାର ଥୋଇ ।

 

କୁଳାୟ ଆଶେ, ଆଉ ପ୍ରଣୟୀ ଆଶେ

ଚାହୁଁ ସେ ଥିବ ନିକି ତିକ୍ତ ନିରାଶେ !

 

ସେ ଦୁଇ ଜୀବନରେ ସେ ଯେ ନିରାଶା

ଅପୂର୍ଣ୍ଣ ସୁଖ-ସ୍ୱାଦ, ଅବ୍ୟକ୍ତ ଭାଷା ।

 

ଏ ଅପରାଧୀ ପ୍ରାଣେ ତୀବ୍ର ଧିକ୍‍କାର

ଦିନ ଦିନକେ କରୁଅଛି ସଞ୍ଚାର ।

***

 

ହତସ୍ୱପ୍ନାର ପତ୍ର

 

ଦିନ ଥିଲା ଯେବେ ତୁମ ପତ୍ର ପାଇବାରେ,

ତୁମକୁ ଦେବାରେ ଭାଷା, ମୋ କ୍ଷୁଦ୍ର ସଂସାରେ ।

 

ଥିଲା ପ୍ରିୟତମ ସୁଖ । ମନେପଡ଼େ ନିକି

ତମେ ମଧ୍ୟ ରହିଥାଅ କେସନେ ପ୍ରତିକ୍ଷି ।

 

ମୋ-ହାତର କୁଲିଖିତ ପତ୍ର ଫାଳେ ପାଇଁ,

ଭୋଖିଲା ରହଇ ଯଥା ଭୋଜନେ ଅନାଇ !

 

ମନେକର, ଇ ଭିତରେ ଗଲା କେତେ କାଳ

ଦୁହେଁ ଦୁଃଖେ ଦୂରେ ଦୂରେ ବିରହ ବିହାର ।

 

କଲେ ମୌନ ଅଭିମାନେ; କୁଶଳ ଜିଜ୍ଞାସି

ଦୁହେଁ ନାହିଁ ଦେଲୁ ପତ୍ର ଅହଂକାରେ ଭାସି ।

 

ସେଦିନ ପ୍ରଣୟୀ-ଯୁଗ୍ମ ପ୍ରୀତି-ଜରଜର

ଆଜି ଶୁଷ୍କ, ପରସ୍ପରେ ନିଷ୍ପୃହ-ଅନ୍ତର ।

 

 

 

ଶୁଖି ଶୁଖି କିନ୍ତୁ ଶେଷେ ଫାଟିବା ଆଗରୁ

ତମୁକୁ ଶୁଣାଇ ଯାଏ ମୋ ବ୍ୟଥା ଅନ୍ତରୁ ।

 

ସେ ଲାଗି ଏ ଶେଷ ପତ୍ରା ସେ ଘରେ ଶୟାନ

ସୁଖେ ତମେ; ଲେଖୁଛି ମୁଁ ନିଷ୍ପୀଡ଼ିତ-ପ୍ରାଣ;

 

ମୋ ଆଖିରେ ନିଦ ନାହିଁ, ଅଶ୍ରୁ ମଧ୍ୟ ନାହିଁ

ପୋଛି ଚୁମ୍ୱୁଥିଲ ଯାହା ତୁହାଇ ତୁହାଇ ।

 

ପିଲେ ମୋର ଶୋଇଛନ୍ତି-ଶେଷ ଶାନ୍ତି ମମ,

ତାଙ୍କ ଯୋଗୁଁ ପାଏଁ ହେଲେ ଜନନୀ-ସମ୍ଭ୍ରମ ।

 

କି ଆଉ ଲେଖିବି ସତେ ?- ସକଳ ସ୍ୱପନ

ଭାଙ୍ଗିଲ ତ । ଖାଲି କରେ ଗୋଟିଏ ପ୍ରଶନ ।

 

କିଶୋର ବୟସେ ତମେ ବକ୍ଷେ ଘେନି ମତେ,

କହିଥିଲ ଭଲପାଅ ପ୍ରତି ଚୁମ୍ୱ ଅନ୍ତେ;

 

ସେ କି ଖାଲି ଚାଟୁ କଥା, ଭୁଲାଇବା ପାଇଁ

କିଶୋରୀରେ ? ତହିଁ ତବ ପ୍ରାଣଥିଲା ନାହିଁ ?

 

କିନ୍ତୁ ଲଘୁ ଆମୋଦର ସେ ଛଳନା-ବାଣୀ

କି ଗଭୀର ରେଖା ସବୁ ଦେଇ ଅଛି ଟାଣି ।

 

ସେ ଦିନୁ ଏ ବାଳିକାର ଅନ୍ତର ନିଭୃତେ,

ବିଳାସୀ ପୁରୁଷ ତମେ ଜାଣ କି କିଞ୍ଚିତେ ?

 

ଜାଣିଥିଲେ କିହେ ପ୍ରିୟ ସେଦିନର ସେହି,

ଚିତ୍ତର ପରମ ସ୍ୱପ୍ନ, ଅନ୍ତରର ସ୍ନେହୀ ।

 

ମରମର ସ୍ନେହ ଧାରା, ଶରୀରର ଲତା

ଉପେକ୍ଷିତ ଅନାଦରେ ଭୂତଳେ ଲୋଟନ୍ତା ?

 

ଯେ ସ୍ନେହ- ସାମ୍ରାଜ୍ୟେ ଗରବିଣୀ ଅଧିଶ୍ୱରୀ

ହେବାର ସ୍ୱପ୍ନରେ ଚିତ୍ତ ଯାଉଥିଲା ଥରି ।

 

ତାହାରି ଅଜ୍ଞାତ କୋଣେ ଶୁଷ୍କଲତା ପରି

ପଡ଼ିଥାଁତି ମୁଁ କି ଖାଲି ଅତୀତ ସୁମରି !

 

କିଶୋର ବୟସେ ଦିନେ ଦେହ, ମନ, ପ୍ରାଣ

ଭକ୍ତିଭରେ କରି ବିଭୂ-ନାମ ଉଚ୍ଚାରଣ ।

 

କଲି ଯା ଉତ୍ସର୍ଗ ତବ କରେ ଆଶାନ୍ୱିତା

ତା ଫଳ କି ଏଇ ପ୍ରିୟ ? ଏ ହୀନ ଦୀନତା ?

 

ତବ ବିନୁ ଆନ ବନ୍ଧୁ ଜାଣି ନାହିଁ ମନ,

ତମଠୁ ଶୁଣିଲି ଯେତେ ନିଷ୍ଠୁର ବଚନ !

 

ତମ ଯୋଗ୍ୟ ନୁହେ ଯଦି ଘେନିଲ କିପାଁଇ,

ପିଇଲ ମୋ ଗଣ୍ଡ, ମୋର ମିଥ୍ୟା-ସ୍ତୁତି ଗାଇ ?

 

ବିଳାସେ ରସାଳ ଖାଇ ପିଙ୍ଗା ବୀଜ ପରି

କିଶୋରୀ ହୋଇଛି ଆଜି ଅପଗତ-ଶୀରି ।

 

ଶରୀର-ସ୍ତାବକ ପୁଂସ ତେଣୁ କି ଉପେକ୍ଷା,

ଆତ୍ମାର ଏକାନ୍ତ ପୂଜା ନକଲ ଅପେକ୍ଷା ?

 

ତବ ପାଶେ ଆନକକ୍ଷେ ବିନିଦ୍ରଯାମିନୀ

ଅଶ୍ରୁସିକ୍ତ ଉପାଧାନେ ଏ ହତ-ଭାଗିନୀ ।

 

କାଟେ ଦିନ ଦିନ ଧରି, ଜାଣି ଜାଣ ନାହିଁ

ମୋ ପାଇଁକି ହିୟା ଦେଲ ପାଷାଣରେ ଛାଇ ?

 

ବିଧାତା ମୋ କୋଳେ ଯାହା ଥୋଇଛି ଖେଳନା

ଜୀବନ ଧରିଛି, କରି ତାଙ୍କରି ମାଜଣା ।

 

ତମ ଗୃହ ବୁଝିଥାନ୍ତେ ଦାସୀ, ନଉକର,

ମୁଁ ବି ପାରିଥାନ୍ତି ଜନ୍ମି ଜାରଜ କୁମର ।

 

ତୁମଠାରେ କଲି କିପାଁ ଆତ୍ମ-ସମର୍ପଣ,

ତା ଗୌରବ ବୁଝିଲନି, ଏଡ଼େ ମୂର୍ଖ କ’ଣ ?

 

ଯା ହେବାର ହେଲା ଯାହା ଥିଲା ଏ କପାଳେ

ଭୋଗିଲି, କି ଲାଭ ସ୍ମରି ତାହା ବାରେ ବାରେ !

 

ଜନନୀ, ଚାହିଣୀ ସିନା, ପ୍ରିୟା ନୁହେଁ ଆଉ

ବୁଝି କି ନାରୀର ଏହା କେତେବଡ଼ ଦାଉ ?

***

 

ବିଦେଶ ଯାତ୍ରା

 

ଆସିଲେ ଯିବାକୁ କିପାଁ ଏତେ ତରତର

ମୋ ସଙ୍ଗ କି ଲାଗୁ ନାହିଁ ଆଉ ସୁଖକର ?

 

ଆଉ ଅଛି ଅଧଘଣ୍ଟେ ରେଳର ଟାଇନି,

ଆସ ବସ ଖଟ ପରେ, ଅସ୍ଥିର ହୁଅନି ।

 

ସବୁ ମୁଁ ସଜାଡ଼ି ଅଛି ଦାନ୍ତକାଠି ସହ,-

ଟଏଲେଟ୍ କେଶେ ଅଛି; ମନେକରି ଥୟ ।

 

ସକାଳୁ ମୁହଁଟି ଧୋଇ କିଛି ଜଳଖିଆ

ଖାଇ ନେବ – ଦେଇ ଅଛି ତାହାର ପୁଡ଼ିଆ ।

 

ଗୁଞ୍ଜି ବାକ୍ସେ ଯଥାସ୍ଥାନେ । ଯାତ୍ରା ତାହା ପରେ

ହେଉ ଥାଉ ଯେତେବେଳେ ଧୀରେ, ବିଳମ୍ୱରେ ।

 

ଖର୍ଚ୍ଚ ସବୁ ଲେଖୁଥିବ, ଜଗିବ ଚାକରେ

ସମାଜେ ଦରିଦ୍ର ଆମେ, ଏ ସବୁ ନଜରେ ।

 

 

 

ନ ଆଣିଲେ ନ ଚଳଇ; ତମେ ଭୋଳାନାଥ

କେତେ ଦିନ ଥିବ ଆଉ ? ପାତିବାର ହାତ ।

 

ତମେ ପର ପାଖେ ଦେଖି କେତେ ସମ୍ଭାଳିବି,

କେମନ୍ତେ ବା ସାଙ୍ଗ ମେଳେ ନିଜେ ଠିଆ ହେବି ?

 

ଧୋବା ଖାତା, ଆଉ ଯେତେ ଖାତା ହିସାବର

ସବୁ ମୁଁ ଆସିଛି ରଖି; ଖରଚ ପତର ।

 

ପାହୁଲା ପର୍ଯ୍ୟନ୍ତ ସବୁ ଟିପି ରଖୁଥିବ;

କେବେ ଆଉ ନିଜ କଥା ଆପଣେ ବୁଝିବ ?

 

‘ବାପା’ଙ୍କୁ ଛାଡ଼ିବ ନାହିଁ ପୁଅ କହୁଥିଲା,

ଚାହିଁ, ଚାହିଁ ହସି, କାନ୍ଦି ନିଦେଇ ପଡ଼ିଲା ।

 

ଉଠି ଯଦି ସମ୍ମୁଖରେ ଛୋଟ ତାର କରେ

ଆଗୁଳି ତମକୁ ନାହିଁ ଛାଡ଼ନ୍ତା ବାଟରେ ।

 

ଯାଇକି ପାରନ୍ତ ସତେ ଭାଙ୍ଗି ତା ବନ୍ଧନ ?

ଆରଥର ପରି ଆଉ ନ କରିବ ଧନ ।

 

ବରାବର ଦେବ ଚିଠି ତମ ଚିଠି ପାଇଁ

ପ୍ରତିଦିନ ଅସ୍ଥିରରେ ରହିଥେ ଅନାଇଁ ।

 

ଶୀତ-ବୃକ୍ଷ ମଳୟକୁ ପ୍ରତୀକ୍ଷିଲାପରି

ଜାଣି, ବ୍ୟବହାର କର ନ ଜାଣିଲା ପରି !

 

ପହଁଚିତ ଜଣାଇବ ସାଙ୍ଗେ ସାଙ୍ଗେ ମତେ,

ତା’ଛଡ଼ା ଲେଖିବ ପ୍ରତି ଦୁଇଦିନ ଗତେ ।

 

ଦି’ଧାଡ଼ିଆ ଚିଠି ନୁହେଁ – ଲମ୍ୱା ଚିଠି ଚାହେ

ମନେରଖ କି ଆଶାରେ ଜଣେ ଚାହିଁଥାଏ ।

 

ଗାଡ଼ି ବେଳ ହେଲାପରା – କଟୁ ତିରସ୍କାର

କରି ପଦେ ଅପରାଧ କରିଛି ଅପାର;

 

କ୍ଷମା ଦିଅ ପ୍ରିୟ ମତେ । ଯାହା କହେଁ, କରେଁ

ତମେ ଜାଣ, ତମେ ମୋର ସମଗ୍ର ଅନ୍ତରେ ।

***

 

ମରମେ ତୁମର

 

ମରମେ ତୁମର ଥାନ ଦେଇ ସଖୀ

ସରମେ ମୋ ଆଡ଼େ ଚାହୁଁଥାଅ

ପରମ ପୀରତି ସୁରଭି କୁସୁମ

ବେଳେ ବେଳେ କରେ ଦେଉଥାଅ ।

 

ଗହନ ଭୁବନ ପଥେ ଚାଲି ଚାଲି

ସରମ ଜଂଜାଳେ ହେଉଥିଲେ ଘାଲି

ସମ୍ମୁଖରେ ଆସି, କୁଶଳ ଜିଜ୍ଞାସି

ଓଠ ଧରି ସ୍ନେହେ, ହସି ଯାଅ ।

 

ଚଇତି ଜୋଛନା ସଂଜେ ବାତାୟନେ

ପାହାଁତି ଶିଶିର ଶୀତଳ ଶୟନେ

ବାହୁଲତା ତବ ଗୁଡ଼ାଇ ମୋ ଗଳେ

ସାଇତିବା ସ୍ମୃତି ପରି ଥାଅ ।

 

ଜନମେ ଜନମେ ଯହିଁ ଥାଏ ମୁହିଁ

ସ୍ନେହର ଚନ୍ଦନ କପାଳରେ ଲିହି

 

 

 

ଦରିଦ୍ର କୁଟୀରେ ଏବ ପରି ମତେ

ରାଜ-ଅଧିରାଜ କରୁଥାଅ ।

***

 

ବସନ୍ତୋତ୍ସବ

 

 

ନବ ଆନନ୍ଦେ ଧରଣୀ ଆଜି ତ ମଗ୍ନରେ

ବସନ୍ତ-ଥାଟ ବାଟେ ଆସି ଶୁଭ-ଲଗ୍ନରେ ।

 

ଧରଣୀ-ରମଣୀ ସଜାଇଛି ବେଣୀ, ପୁଷ୍ପରେ

ଅଳତା-ରେଖା ସେ ପଦେ ବିରଚିଛି ପୁଷ୍କରେ ।

 

ସିନ୍ଦୂର ରାଜା-ଇନ୍ଦୁ ସମ ତା ମସ୍ତକେ

କିଂଶୁକ-ଫୁଲେ କରାଇଲା ଦେଖ ନ୍ୟସ୍ତ କେ ।

 

ପରିଚୟ ଆଉ ପରିଣୟ ହେବ ଏ କ୍ଷଣେ

କ୍ଷିତି-ଦେହ ଶୀତ୍‍କାର କରେ ପ୍ରୀତି ଲକ୍ଷଣେ ।

 

ଘାସେ ଘାସେ ଭାସେ ଅକଥିତ ନବ ଶୃଙ୍ଗାର

ଅରୁଣେ ଫୁଟଇ ଅଗଣିତ ପ୍ରୀତି ମନ୍ଦାର ।

 

ମୂକ-ଭାଷା ବୁକୁ ଫୁଟି ଉଠେ, ଫୁଲେ ପଲ୍ଲବେ

ନିବେଦନ ସେହି ବେଦନାବତୀର ବଲ୍ଲଭେ ।

 

ମୁଖର କୋକିଳ ଉତ୍ସାହେ ଘୋଷେ ଉତ୍ସବ

ଦିଶେ ଦିଶେ ଆଜି ମତ୍ତତାର କି ଉଦ୍ଭବ !

 

 

କେ ଅଛ କିଶୋର-କିଶୋରୀ ଆସ ଗୋ ପ୍ରାନ୍ତରେ

ତୁମ ଲାଗି ସିନା ମଳୟ ବାହାରେ, ଅନ୍ତରେ ?

 

ମିଶିବ ନାହିଁ କି ଚୈତ୍ର-ଜୈତ୍ର-ଯାତ୍ରାରେ

ଭୋଗିବନି ପ୍ରାଣେ ବସନ୍ତ କିଛି ମାତ୍ରାରେ ?

 

ହାତ ଧରା ଧରି, ଗାଅ ହେ ପ୍ରଣୟ-ବନ୍ଦନା

କିଶୋରୀ-ହୃଦୟ ହୋଇଉଠୁ ଘନ-ସ୍ପନ୍ଦନା ।

 

କୁସୁମ ପରାଗେ ଉତ୍ସବ ରଚ ଉତ୍ସାହେ

ଭ୍ରୂକ୍ଷେପ ନାହିଁ କର ହେ, କରିବ କୁତ୍ସା ଯେ ।

 

ଧରଣୀ ତୁମରି, ତୁମରି ମଳୟ-ସଙ୍ଗୀତ

ନିଜ ଅଧିକାର ନେବାକୁ ନୁହଁ କି କାଙିତ ?

 

ବସନ୍ତ ଆଜି ଡାକୁଛି ତୁମରେ ପ୍ରାନ୍ତରେ

ଛିନ୍ନ କର ହେ ଜଞ୍ଜାଳୁ ନିଜ ଅନ୍ତରେ ।

 

ମଳୟ ସମାନ ମିଶିଯାଅ ଫୁଲ ସଙ୍ଗରେ

ଉନ୍ମାଦେ ଜିଣ ମଦ୍ୟପ ବନ-ଭୃଙ୍ଗରେ ।

 

ଦିନକ ଲାଗିରେ ଆମୋଦେ ହଜାଅ ଚିତ୍ତ ହେ,

ରୁଦ୍ଧ-ରୁଗ୍‍ଣ ଜୀବନେ ସେ ମହା ବିତ୍ତ ହେ ।

***

 

ଜ୍ୟୋତ୍ସ୍ନାମୟୀ

 

ସନ୍ଧ୍ୟାର ପଛେ ପଛେ ଆସିଅଛି ଜ୍ୟୋତ୍ସ୍ନା

କୁଞ୍ଜେ ବିଳସି ମୋର ବଢ଼ାଇଛି ତୃଷ୍ଣା

 

ବୁକେ ବୁକେ ଖେଳାଉଛି ଚୁମ୍ୱନ ସ୍ୱପ୍ନ

କରିଅଛି ସୁଶୀତଳ ଚକ୍ଷୁର ପ୍ଲକ୍ଷ୍ମ ।

 

ସ୍ୱପ୍ନ – ମଦିରା ମୋର ଜାଗିଅଛି ବକ୍ଷେ

ପରୀ ମାୟା ଲାଗିଅଛି ଏ ବିଲୋଳ ଚକ୍ଷେ ।

 

ଛୁଇଁଯାଏ ଦେହସାରା ପରିଚିତ ପରଶ

ମଦଭରା, ସ୍ୱେଦ-ହରା, ସୌରଭ-ରଭସ ।

 

କେଉଁ ଅତୀତର ସେହି କୁଟୀଳ ଅପାଙ୍ଗ

ବକ୍ଷରେ ଘେରି ଘେରି ହେଉଅଛି ସାଙ୍ଗ ।

 

ଅଧର-ସରାଗ କାର ଲାଗିଯାଏ ଛନ୍ଦେ

ବାହୁଲତା ଭାର କାର ଛନ୍ଦଇ ବନ୍ଧେ ।

 

 

 

ହେ ଅତୀତା, ଥିଲ ତୁମେ ଚଞ୍ଚଳ, ସରଳ

ଏଇ ଜ୍ୟୋତ୍ସ୍ନାର ପରି ସୌରଭ-ତରଳ ।

 

ଅଧରେ ନୟନେ ତବ ଖେଳୁଥିଲା ଜ୍ୟୋତ୍ସ୍ନା

ଦେହ-ରାଗେ ବଢ଼ୁଥିଲା ଜ୍ୟୋତ୍ସ୍ନାର ତୃଷ୍ଣା ।

 

ଆଜି ତେଣୁ ପୂର୍ଣ୍ଣିମା କୌମୁଦୀ ରାତ୍ରେ

ଚୁମ୍ୱନ ଆଶା ମମ ଜାଗିଅଛି ଗାତ୍ରେ ।

 

ଆଜି ତେଣୁ ଏ ନିଶାରେ ଏ ମଧୁର ଜ୍ୟୋତ୍ସ୍ନା

କୁଞ୍ଜେ ବିଳସି ମୋର ବଢ଼ାଇଛି ତୃଷ୍ଣା ।

***

 

Unknown

ଇତସ୍ତତଃ

 

ଫୁଟିଲା ସରସିଜ ପ୍ରଭାତେ ସରେ

ରସିକ-ଭୃଙ୍ଗ ପାଶେ ଆସିଲା ଖରେ;

 

ଗୁଞ୍ଜରି ବୋଲେ,‘‘ସଖି, ମୋ ଲାଗି କିରେ

ବାସକ ଶଯ୍ୟା ପାତି ରହିଛୁ ନୀରେ ?’’

 

କମଳ ବୋଲେ, ‘ଆହା କିବା ବଡ଼ାଇ !

ତପନେ ମୁଁ ଯେ ରହିଅଛି ଅନାଇଁ ।’’

 

ତପନ ପ୍ରାଚୀ ତୀରେ ଉଇଁଲା ଧୀରେ

ସ୍ୱାଗତ କଲା ପଦ୍ମ ନୁଆଇଁ ଶିରେ ।

 

ନୀରବେ କହିଲା ସେ, ‘‘ହେ ଜୀବିତେଶ

ହୃଦୟେ ଦୟା ତବ ନାହିଁ କି ଲେଶ !

 

ଅସ୍ୱାଦ ନ ସରୁଁ ମୋ ତେଜିଲ ଧରା

ଏ ଅଭାଗିନୀ ମନେ ନ ଥିଲା ପରା !

 

 

 

ତୁମ ସ୍ୱପନେ ଗଲା ରଜନୀ ପାହି

ପ୍ରଭାତୁଁ ରହିଛି ଆସିବା ଅନାଇଁ ?’’

 

ତପନ କହେ, ‘‘ହାୟ ଅଭିମାନିନି,

ଥିବି ମୁଁ ଚିର ଖାଲି ତୁମରେ ଘେନି ?

 

ଚାହିଁ ଅଛନ୍ତି ବିଶ୍ୱ କୁସୁମରାଶି ?

ତୋଲାଗି ଉଚିତ କି ଆନେ ନିରାଶି ।’’

 

ରକ୍ତ-ପାଖୁଡ଼ା ରକ୍ତତର ହୋଇଲା

ପଦ୍ମିନୀ ସରମରେ ନୀରେ ନଇଁଲା ।

 

ଭ୍ରମର ଗୁଞ୍ଜରିଣ ପଙ୍କଜେ ଭାଷେ –

‘‘ଚାହିଁ ରହିଲ ଦୀର୍ଘ ନିଶା କା ଆଶେ ?’’

 

ଜୀବନେ ଲାଗିଅଛି ଏ ବିପର୍ଯ୍ୟୟ

ପ୍ରେମ ଲଭଇ ନାହିଁ ତା ବିନିମୟ ।

 

ନେତ୍ରେ ନାହିଁଛି ନିଦ ଯେ ଆଖି ପାଇଁ

କଟାକ୍ଷେ ହେଲେ ସେ ତ ଚାହଁଇ ନାହିଁ ।

 

ସେ ପୁଣି ଆଉ କାର ଗଣ୍ଡେ ଅନାଏଁ

ଏ ସ୍ମୃତି ପାଦେ ଠେଲି ତା ପଛେ ଧାଏଁ !

 

ରହନ୍ତା ପ୍ରେମ ଯଦି ଯଥାସ୍ଥାନରେ

ସ୍ୱର୍ଗ ନ ଥାନ୍ତା ଖାଲି କବି ଧ୍ୟାନରେ ।

***

 

କୁଳଟା ରାଧା

 

ଯାବଟ ଘୋଡ଼ାଇ ମେଘ ବରଷେ ବାରି,

ଘଡ଼ ଘଡ଼ି ପଡ଼େ ତାଳବନ ହୁଙ୍କାରି ।

 

ଘୋର ବେଗେ ଅଣଚାଶ ବହେ ପବନ,

ବନପକ୍ଷୀ ଗ୍ରାମେ ପଶି ରଖେ ଜୀବନ ।

 

ଅସର ଧାରାରେ ପଡ଼େ ଗଗନୁ ଜଳ,

ଠକ ଠକ ପଡ଼େ ପଥେ କୁଆପଥର ।

 

ଯାବଟ ଦାଣ୍ଡରେ ବହେ ବୁଡ଼ାଣ ପାଣି,

ସାରା ଦାଣ୍ଡେ ନାହିଁ କାହିଁ ଜନ ପରାଣୀ ।

 

ସାରା ଗ୍ରାମେ ଶୁଭେ ଖାଲି ମେଘ ବରଷା

ଘରେ ଘରେ ଡାକ, କେବେ ହେବ ଫରଷା ।

 

ଏକାଳେ ଜଟିଳା ଘରେ ଜଟିଳା ନିଜେ

ଡାକିବାର ଶୁଣାଗଲା, ‘‘ରାଧା ନାହିଁ ଯେ !’’

 

 

 

‘‘ରାଧା ନାହିଁ, ରାଧା ନାହିଁ, ଗଲା ସେ କାହିଁ ?’’

ଘରେ ଘରେ ହେଲା ଖୋଜା ମିଳଇ ନାହିଁ ।

 

‘‘ଏ ରାତି ଏ ବରଷାରେ କାହିଁ ସେ ଗଲା ?

ଜାଳ ଦୀପ ବାରିଆଡ଼ ଖୋଜ କୁଟିଳା !’’

 

‘‘ଆଲୋ ମା, ଦୀପ କି ରହେ ଏଡ଼େ ବତାସେ ?

ବରଷା-ଚିକ୍କଣ ଭୂମେ ଗୋଡ଼ ଯେ ଖସେ ।

 

କାହିଁ ଲୋ, ଖୋଜିବା ତାକୁ ? ମରିଲେ ମରୁ,

ଫୋଡ଼ାମୁହିଁ ସାଥେ ଘରୁ ବିପତ୍ତି ସରୁ !’’

 

କହି ଶୋଇବାକୁ ଯାଉ ଦେଇ କିଳିଣୀ,

ସହସା କାନରେ ବାଜେ ମୁରଲୀ ଧ୍ୱନି ।

 

ମୁହଁ ମୋଡ଼ି ବୁଢ଼ୀ ଚାହେଁ କୁଟିଳା ମୁଖେ,

କୁଟିଳା ପଡ଼ଇ ବସି ସରମ-ଦୁଃଖେ ।

 

ନ ପାହୁ ରଜନୀ ସାରା ଯାବଟେ ହୁରି

‘ରାଧା ନାହିଁ ଘରେ’ – ଡାକେ ଜଟିଳା ବୁଢ଼ୀ ।

 

କୁଟିଳା ଜଗିଛି ବସି ଯମୁନା-ବାଟ

ତା ପାଶେ ବସିଛି ଯେତେ ଗୋପିନୀ ହାଟ ।

 

କୁହାଳୀ ତରୁଣୀ ଏକ ସଖୀରେ ଡାକି

କହଇ– ‘‘ଦେଖିବା ଆଉ କି ଅଛି ବାକି ?

 

ଥର ଥର କରି ଏହି ନାଟ ଲାଗିଛି

ଆଚ୍ଛା ଶାଶୁ ଆଚ୍ଛା କୁଳବୋହୂ ପାଇଛି !

 

ଆସ ଯିବା’’ – ବୋଲୁଁ, ଦୂରେ ଦିଶଇ ରାଇ,

ଲାଜେ ମୁହଁ ଟେକି ପୁଣି ତଳେ ପୋତଇ ।

 

ଯମୁନା ସ୍ନାହାନେ ଓଦା ଦେହ-ବସନ

ସ୍ତନଭାରେ ବାସଭାରେ ମଠ ଗମନ ।

 

ନିକଟେ ନ ଆସୁ, ଭୋଖୀ ବାଘୁଣୀ ପରି

ଧାଇଁଲା କୁଟିଳା ପଛେ ଲଗୁଡ଼ ଧରି ।

 

ଜଟିଳା ଚଳଇ । ଗୋଳ, ଗୋପିନୀ ମେଳେ;

ଆସିବାକୁ ଥିଲା ତାକୁ ଏତିକି ବେଳେ ?

 

ପଣତ ଓଟାରି ବୁଢ଼ୀ ଆଣିଲା ଭିଡ଼ି,

ପଛରେ ନଣନ୍ଦ ନାନା କଥା ଫୋପାଡ଼ି

 

ଆସଇ । ସାରାଟି ଗାଆଁ କାମିନୀ ଆଗେ

ଉଭା ରାଧା ଦୋଚାରିଣୀ । ସରମ ରାଗେ ।

 

ମୁହଁ ନଇଁ ଯାଏ ତଳେ । ସଦର ବଳା

ମହାଲାଜେ ପଥରଜେ ମରଣ ଗଲା ।

 

ସାରାଟା ଗାଆଁର ଆଖି ମୁଖରେ ତାର

ଅପମାନେ ବହିଯାଏ ଲୋତକ ଧାର ।

 

ଯେତେ ସବୁ ଯାବଟର ସାଧବ ସତୀ

ଦେଖୁଥାନ୍ତି କଉତୁକେ କୁଳଟା ଗତି ।

 

ଏ ଗୁରୁ ସରମ ମାଥେ ବହି ଶ୍ରୀମତୀ

ଆୟତ ନୟନ ଲୁହେ ତିନ୍ତାଇ ଛାତି ।

 

ହୃଦୟେ ନିବିଡ଼େ ଡାକେ ସତୀ ନବୀନା,

‘‘ହେ ସଖା, ହେ ଶ୍ୟାମ ସବୁ ତୋ ପାଇଁ ସିନା !’’

 

ଦଳେ ଦଳେ ଗୋପାଳୁଣୀ ଚଳିଲେ ଘରେ,

ଟାହୁଲି କହନ୍ତି କେତେ ଏକ ଆନରେ ।

 

କବି କିନ୍ତୁ ନ ଚାହିଁଲା ସେ ସତୀଜନେ

ପ୍ରଣତି ବିହିଲା ଦୋଚାରିଣୀ-ଚରଣେ ।

***

 

ବଂଶୀ ଡାକ

 

ଯମୁନାର ଆରପାରେ କାହିଁ ବାଜେ ବଂଶୀ,

ବ୍ରଜପୁରେ ସଜପଦ୍ମ-ମୁଖୀ ରାଧା ବସି ।

 

କିପରି ଶୁଣେ ସେ ଡାକ ? ଅପର ଗୋପିକା

ବୁଝି ନ ପାରନ୍ତି କିଛି, ଆପଣା ଜୀବିକା ।

 

ବକ୍ଷେ ଧରି ଗୋପ-ମାତା ନ ପାରଇ ଶୁଣି,

ଗୋପ-ଶିଶୁ ଗୋଷ୍ଠଗୀତ ଗାଉଥାଏ ଗୁଣି ।

 

ଗୋପ-ବୃଦ୍ଧ ସନ୍ଧ୍ୟାଗମେ ଗୋ-ଗୋଷ୍ଠେ ବିଳସି

ଗୋ-ଦୋହନେ ଫୁଲ୍ଲ ମନେ ସାଜଇ କଳସି ।

 

ବଂଶୀ ନାଦ ଦୂରେ ଦୂରେ ବହିଯାଏ ଭାସି,

କେହି ନ ପାରନ୍ତି ଶୁଣି ।

 

ନେତ୍ରୁଁ ଲୁହରାଶି –

ବିକଳେ ବୁହାଇ ଖାଲି ଯୁବତୀ ରାଧିକା

ଶୁଣଇ ସେ ଗୋପ ଗ୍ରାମେ ପ୍ରଣୟ-ବାଧିକା !

 

ଝଟତି ବାହାରେ ଘରୁ, - କୋମଳ ଚରଣ

ହୁଏ ତୀକ୍ଷ୍‍ଣ କୁଶାଘାତେ ରକ୍ତ-ପ୍ରସ୍ରବଣ

 

ନିବିଡ଼ ଅନ୍ଧାର ରାତି ! ନ ଦେଖିଛି ପନ୍ଥା !

ସେ କଥା ମାନେ କି କେବେ ହୃଦୟର ବ୍ୟଥା ?

 

ଯୁବତୀ ରାଧିକା ହୁଏ ବନପଥ-ଯାତ୍ରୀ,

ନ ମାନଇ ଭୟ ଭ୍ରାନ୍ତି, ଅନ୍ଧକାର ରାତ୍ରି !

 

ପାଗଳିନୀ ପରି ଧାଏଁ ନବୀନ ପ୍ରେମିକା

ବନୁ ବନେ, ପଥୁ ପଥେ ପ୍ରେମିକା ରାଧିକା ।

 

ପଛେ ରଖେ କୁଳମାନ, ଗୁରୁ ଗଉରବ

ଭାଙ୍ଗି ଚାଲେ ବାଧାବିଘ୍ନ-ନିଷ୍ଠୁର ଗରବ;

 

ବାସ ଫୁଟି, ଲତା, ଗୁଳ୍ମ, କଣ୍ଟା, ଦେହ ଚିରେ,

ଜଳିଉଠେ କୋମଳାଙ୍ଗ ବିକଳ ରୁଧିରେ ।

 

ସେ କଥା ପାଶୋରେ ରାଧା ପୀରତି-ବାୟାଣୀ

ଶୁଣୁଛି ସେ ଖାଲି ଦୂର ମୂରଲୀର ବାଣୀ ।

 

ଗୋପେ ଗୋପାଙ୍ଗନା ଯେତେ ଆମୋଦ ନିଦ୍ରିତା,

ଘୋର ବନେ ଖୋଜି ବୁଲେ ରାଧା ବ୍ୟାକୁଳିତା –

 

ପରାଣର ନିଧି ତାର, କୁଞ୍ଜ-ପତ୍ରଫୁଲେ

ତିନ୍ତାଇ ଲୋତକେ, ପଥ ଯମୁନାର କୂଳେ !

 

କୃଷ୍ଣ କି ବଜାଏ ବଂଶୀ କୁଞ୍ଜବନେ ଆଜି

ସେହିପରି ? ତରତରେ କବରୀ ନ ସାଜି ।

 

ଧାଏଁ କି ରାଧିକା-ରାଣୀ ସେହିପରି ରାତେ,

ତା ଚରଣ ଶୋଣିତରେ କୁଶାଙ୍କୁର ଘାତେ ।

 

ଫୁଟାଏ କୋମଳ ପଦ୍ମ ? ସତ୍ୟ ଯଦି ପ୍ରଭୁ

ନିଅ ମୋର ଯାହା ଅଛି, ନିଅ ମୋର ସବୁ ।

 

ଭିକ୍ଷା ମୋର କୁଞ୍ଜବନେ ବ୍ରଜୁଁ ରାଧାରାଣୀ

ଯେ ପଥେ ଯାଆନ୍ତି ନିତି ବଂଶୀ ଡାକ ଶୁଣି ।

 

ସେହି ପଥେ ଦୟାମୟ କର ମୋତେ ଘାସ

ଦେହ ପାତି ଘୁଞ୍ଚାଇବି ରାଧାପଦ-ପ୍ରାସ ।

***

 

ଆତ୍ମ-ପର

 

ଖବରକାଗଜରେ ବଢ଼ିର କଥା

ପଢ଼ି ମୁଁ ମନେ ମନେ ଭାବଇ

କିପାଇଁ ଏ ବିଳାପ, ଏ ଗୁରୁ ବ୍ୟଥା,

ଲୋକେ ମଲେ ବା ଆଶ୍ରା ନ ପାଇ !

 

‘ନେତାଏ ଲୋକଗଣେ ଦେଖାନ୍ତୁ ଯାଇ

ଶିରୀ-ସୁନ୍ଦର ବୃଦ୍ଧି-ନଦୀର,

ତରୁଣେ ଲୋକଗଣେ ଶିଖାନ୍ତୁ ଯାଇ

ବଢ଼ି-ବର୍ଣ୍ଣନା ଯେତେ କବିର ।

 

ନିଜର ଦେଶରେ ଏ ନଦୀ ପର୍ବତ

ତାଙ୍କ ଶିରୀ ତ କେହି ବୁଝେନି

କେମନ୍ତେ ଏହି ଜାତି ହେବ ଉନ୍ନତ

ସାହିତ୍ୟ ଗଢ଼ି ହେବ କି ଘେନି ?

 

ହେଉ ବରଷା; ହେଉ ନଈରେ ବଢ଼ି,

ଦେଶଟା ଦିଶୁ ହେଲେ ସୁନ୍ଦର

 

 

କେତୋଟି ଲୋକ ଯଦି ଯାଆନ୍ତି ପଢ଼ି

କିପାଇଁ ନେବା ତାଙ୍କ ଖବର ?’’

 

ଦିନେକ ପରେ, ଗୃହେ ଫେରୁଁ ବାଟରେ

ଖାଇଲି ଘୋରତର ଆସାର

ସେ ଦିନ ଜାଣିଗଲି କେତେ କ୍ଷଣରେ

ବିପଦ ଗୃହହୀନ ଚଷାର ।

 

ତା ପରଦିନ ଘରୁ ପାଇଲି ଲେଖ

ବଢ଼ିରେ ସବୁ ଧାନ ଯାଇଛି,

ବୁଝିଲି ପଢ଼ି, କେଶେ ଘୋଷାରି ନଖ

ଖବରକାଗଜ ଯା କହିଛି ।

***

 

ଶେଲୀ-ମୃତ୍ୟୁ

 

ନିରଜନ ବେଳାବାସେ ପତି-ପ୍ରାଣା ମେରୀ ଅଛି ଚାହିଁ,

ସାତଦିନ ଗଲାଣି ଯେ, ଶେଲୀ ତାର ନ ଆସେ କିପାଇଁ ?

 

ପର ଉପକାର ଲାଗି, ଭୁଲେ ସେ ଯେ ଭୋଜନ, ଶୟନ,

ପିସା ନଗ୍ରେ ରହିଲା କି, କରିବାକୁ ତା’ ଦୁଃଖ-ମୋଚନ ?

 

ଅଥବା-କମ୍ପଇ ପ୍ରାଣ, ମେରୀ ହୃଦେ ହେଲ ସେ ଭାବନା –

ବତାସି ବାରିଧି-ବକ୍ଷେ ଘଟିଲା କି କିଛି ଦୁର୍ଘଟଣା ?

 

ମନୁଷ୍ୟ ତ ନୁହେ ଶେଲୀ-ନର ଦେହେ ଶିଖା ପ୍ରକୃତିର,

ତେଣୁ ଜଳେ, ବନେ, ବିଲେ, ବୁଲେ ଶେଲୀ ନିରତ ଅସ୍ଥିର ।

 

ପ୍ରକୃତି ପରି ସେ ବନ୍ୟ, ପ୍ରଭଞ୍ଜନ ପରି ସେ ଚଞ୍ଚଳ

ରୂପ ଆଉ ପ୍ରେମ ଖାଲି ବାନ୍ଧିଅଛି ତାପଦେ ଶୃଙ୍ଖଳ ।

 

ମାନସୀକୁ ରଖି ପାଶେ, ଶେଲୀ ଚାହେଁ ପ୍ରେମର ବନ୍ୟାରେ

ଭସାଇ ଏ ଋକ୍ଷଧରା, ଗଢ଼ିବ ତା’ ସ୍ୱପ୍ନ ଅନୁସାରେ ।

 

 

 

କିନ୍ତୁ ଭାଙ୍ଗିଅଛି ସ୍ୱପ୍ନ-ମାନବର ଶୁଭ ଅଭିଳାଷୀ,

ମନୁଷ୍ୟର ହୀନତାରେ ନିଷ୍ପେଷିତ, ସେ ସ୍ୱପ୍ନ-ବିଳାସୀ ।

 

ପକ୍ଷାହତ ପକ୍ଷୀ ପରି ଉଡ଼ିବାର ବାସନା ଶେଲୀର

ଅଧିକୁ ଅଧିକେ ବଢ଼େ, ହେଉ ପଛେ ବିକଳ ଶରୀର ।

 

ମେରୀ ମନା ନ ଘେନି ସେ କ୍ଷୁଦ୍ର ଏକ ସୁଲୁପ ତିଆରି,

ଅକୂଳ ବାରିଧି ବକ୍ଷେ ଦିନାକେତେ ହେଉଅଛି ପାରି ।

 

ସୁକୁମାର ତନୁତାର, ସନ୍ତରଣ ଜାଣେ ନା ତା’ ବାହୁ,

ତଥାପି ସେ ଭୟ ହୀନ-ରୁଦ୍ର ପଛେ ହେଉ ସିନ୍ଧୁବାୟୁ ।

 

କ୍ଷୁଦ୍ର, ଟଳମଳ ନାବେ, ନିରୁଦବେଗେ ପଢ଼ୁଥାଏ ଶେଲୀ

ବତାସି-ବ୍ୟାକୁଳ ଜଳେ କାବ୍ୟ ଅବା ଦରଶନ ମେଲି ।

 

ସେ ଦିନ ସେ ଯାଇଥିଲା ବନ୍ଧୁ ଲାଗି ଅର୍ଥ ଆନୟନେ

ଲେଗର୍ଣ୍ଣ ନଗରେ, ସେଇ କ୍ଷୁଦ୍ରନାବେ; ମେରୀର ନୟନେ

 

ଆଶଙ୍କାର ବାଷ୍ପରଚି । ନ ଫେରୁ ସେ ଏତେ ଦୀର୍ଘ କାଳ,

ନିରଜନ ବେଳାଗୃହେ ଉଦବିଗ୍ନ ମେରୀର ସଂସାର ।

 

-୨-

 

କ୍ରମେ କ୍ରମେ ଗଲା ଜଣା, ମେରୀ ପାଶେ ଫେରିବାକୁ ତ୍ୱରା

ଲେଗର୍ଣ୍ଣୁ, ଅବେଳେ ଶେଲୀ ମେଲିଦେଲା ତା’ ନାବ ଦଦରା ।

 

ମଧ୍ୟପଥେ, ସିନ୍ଧୁ ଝଡ଼େ କ୍ଷୁଦ୍ରନାବ ଯାଇଅଛି ଦବି

ନିର୍ମମ ପ୍ରକୃତି ହାତେ ମରିଅଛି ପ୍ରକୃତିର କବି ।

 

ମେରୀ ବୁଲେ ଏଣେ ତେଣେ ସହଜେ ତା’ ନ ହୁଏ ବିଶ୍ୱାସ

ସତ୍ୟର ନିଷ୍ଠୁର ମୁଖୁ ପଳାୟନେ ତା’ ମୂଢ଼ ପ୍ରୟାସ ।

 

ଏଣେ କିନ୍ତୁ ବେଳାଦେଶେ ଶବ ଏକ ଆସିବାର ଭାସି

ସମ୍ୱାଦ ଆସିଲା କାଳେ । ସତ୍ୟ-ମିଥ୍ୟା-ଦେଖା-ଅଭିଳାଷୀ

 

ଟ୍ରେଲନି, ଶେଲୀର ବନ୍ଧୁ, ଥାନେ ଯାଇ ଓଟାରିଲେ ଶବ

ଜଳୁଁ ବେଳା-ବାଲୁକାରେ; ଯା’ ଦେଖିଲେ ତାହାକି ସମ୍ଭବ ?

 

ଏହି କି ଶେଲୀର ଦେହ ? ଘୃଣ୍ୟ ମଡ଼ା, ବୀଭତ୍ସ ଆକାର

ଅନାବୃତ ମୁଖ ହସ୍ତ ହୋଇଅଛି ମତ୍ସ୍ୟର ଆହାର !

 

କିନ୍ତୁ ଏ ଶେଲୀର ଅଙ୍ଗା, ପକେଟରେ କୀଟ୍‍ସର କବିତା

ଇତାଲିର ସମୁଦ୍ରରେ ଝଡ଼େ ବସି କିଏ ପଢ଼ିବ ତା ?

 

କିବା ମୃତ୍ୟୁ କି ଜୀବର ! କି ଦେହର କିବା ପରିଣତି,

ଫୁଟନ୍ତା ଗୋଲାପେ ଗୋରୁ-ଖାଦ୍ୟ କଲା ନିର୍ବୋଧ ପ୍ରକୃତି ।

 

ଶେଲୀର ସେ ନୀଳ ଆଖି ଗ୍ରୀଷ୍ମ-ନଭ ପରି ଯା ଗଭୀର,

ତା’ର ସେ ଶରୀର-ଯଷ୍ଟି ଯହିଁ ଥିଲା ଶୋଭା କୁମାରୀର;

 

ଶେଷେ ସେ ସମୁଦ୍ର ପଙ୍କେ ହେଲା ଜଳ-ଜୀବର ଆହାର

ହେବାର ଘୃଣିତ ମଢ଼ା, ହେଲା ରୂପ-ପୂଜା ପୁରଷ୍କାର ।

 

ମନୁଷ୍ୟ କଲ୍ୟାଣ ପାଇଁ ଉତ୍ସର୍ଗିତ କଲା ଯେ ଜୀବନ

ଘରୁ ପିତା ମାତା ତାକୁ, ଦେଶୁଁ ଜାତି କରିଲେ ତାଡ଼ନ ।

 

ବିତାଡ଼ିତ, ଆଘାତିତ ପ୍ରାଣୀ ପରି ସ୍ୱର୍ଗର ଏଞ୍ଜେଲ୍

ମଲା ଶେଲୀ ନିର୍ଯ୍ୟାତନେ, ପାଇଁ ପାଇଁ ମନୁଷ୍ୟର ଶେଳ ।

 

 

 

 

-୩-

 

ସବୁ କି ହୋଇଛି ବ୍ୟର୍ଥ ?

ନାହିଁ ମୂଲ୍ୟ ଶେଲୀ-ଜୀବନରେ ।

 

କେ କହେ ତା ? ଶେଲୀ ରଖି –

ଯାଇନି କି କିଛି ଅନଶ୍ୱର ?

 

ସତ୍ୟ ନ୍ୟାୟ ଲାଗି ଏବେ, ଯିଏ ଯହିଁ ହୁଏ ନିର୍ଯ୍ୟାତିତ

ସେ ଏକ ଜୀବନ୍ତ ଶେଲୀ-ପ୍ରମିଥିଅସ୍ ଭୀତି-ବିବର୍ଜିତ ।

 

ତୁମେ ଶେଲୀ, ଦେଖାଇଛ କବି କିସ ହେବାର ଉଚିତ –

କବି ଖାଲି ନ ରଚିବ ମଦ-ଓଠ-ସୁଆଦି ସଙ୍ଗୀତ ।

 

ବିଦ୍ରୋହୀ ସେ, ଜଗତର, ହୀନ ଦୁସ୍ଥ ଦଳିତର ବନ୍ଧୁ,

ତା’ ଲେଖନୀ ଅଶ୍ରୁ ତେଜେ, ନେବ କେହ୍ନେ ଭାରା ଜନସ୍କନ୍ଧୁ ।

 

ସ୍ୱାର୍ଥହୀନ, ପାପହୀନ, ସତ୍ୟ-ସନ୍ଧ, ଉର୍ଦ୍ଧ୍ୱଗ ଜୀବନ

ରୂପପାୟୀ, ପ୍ରେମମୟ, ନରେ-ଜୀବେ-ନୀରତ-କରୁଣ ।

 

 

 

କବୀର ଏ ଛବି ଶେଲୀ, ଦେଶେ ଦେଶେ ସାହିତ୍ୟେ ସାହିତ୍ୟେ,

ତୁମଲାଗି ବ୍ୟାପି ଅଛି, ଭାଷା ଆଉଁ ମାନବର ହିତେ ।

 

ତୁମ ଦୁଃଖ, ତୁମ କଷ୍ଟ, କ୍ରମେ କ୍ରମେ ଲଭେ ସଫଳତା

ସେବର ନଗଣ୍ୟ ଶେଲୀ, ଆଜି ବିଶ୍ୱ କାବ୍ୟର ଦେବତା ।

***

 

ଉଦାସୀ ପାନ୍ଥ

 

ସେଦିନ ସେ ସନ୍ଧ୍ୟାକାଳେ ଆସିଲେ ଅତିଥି,

ସରଳ, ସୁନ୍ଦର ଯୁବା, ସୁଠାମ ଗଠନ,

ନୟନେ ରହିଛି କୋଟି ଲୋଚନର ପ୍ରୀତି,

ଗୌର କରେ ଜଳୁଥିଲା ସୁବର୍ଣ୍ଣ କଂକଣ ।

 

ପାନ୍ଥଶାଳା କ୍ରୀତଦାସୀ-ସେବିକା ସବୁରି

ଯେ ମାଗିଛି ସେବା ମୋର ଦେଇଛି ମୁଁ ତାରେ,

ନ ମାଗି କିଛି ସେ ପାନ୍ଥ, ନେଲେ ସବୁ ଜୁରୀ,

ଦେହତ ଇତରଙ୍କର – ସେ ନେଲେ ହିୟାରେ ।

 

ନ ମାଗି କିଛି ସେ ପାନ୍ଥ ଚଳିଲେ ସ୍ୱପଥେ

ପାନ୍ଥଶାଳ ଦ୍ୱାର ଧରି ରହିଲି ଅନାଇଁ,

ବୁକୁ ମୋର ତାଙ୍କ ପଛେ ଗଲା ମନୋରଥେ,

ସର୍ବସ୍ୱ ଚରଣେ ଥୋଇ, ଆଣିବ ମଣାଇ ।

 

ସେ କି ଗୋ ଫେରିବା ଜନ ? – ଚଳିଲେ ସଧୀରେ,

କ୍ରୀତଦାସୀ ଅଶ୍ରୁ ରେଖା ଚୁମ୍ୱିଲା ମହୀରେ ।

***

 

ରୂପାଲୋକ

 

ପ୍ରଦୀପ ଜଳୁଛି କିପାଁ ? ଲିଭାଅ ତାହାରେ

ତବ ରୂପ-ଶିଖା ଜଳୁ ଘନ ଅନ୍ଧକାରେ ।

 

ଠିଆ ହୁଅ କକ୍ଷ-ମଧ୍ୟେ, ଧୀରେ ଧୀରେ ଧୀରେ

ଅଙ୍ଗ-ଆବରଣ ଅଙ୍ଗ ତେଜି ଏ ମହୀରେ ।

 

ପଡ଼ୁ ଶାନ୍ତ ଉର୍ମି ସମ । ଷ୍ଫୁଟିତ ପୁଷ୍ପରେ

ବୃଥା ଆବରଣ ଦେଇ ମୂର୍ଖତା କେ କରେ ।

 

ଦେଖିଛ କେଉଁଠି ସଖୀ ? ହୁଅ ଦିଗମ୍ୱରୀ

ମେଘ ମୁକ୍ତ ଉଷା ସମ । କ୍ରୀତଦାସ ପରି ।

 

ପରାଜୟ ଲଭି ରୂପ-ଆଲୋକେ ତୁମ୍ଭର,

ଅନ୍ଧକାର ଯତ୍ନ କରୁ ଦେବାକୁ ଅମ୍ୱର ।

 

ତୁମ୍ଭର ନିଖିଳ ଅଙ୍ଗେ । ଲଜ୍ଜା ଯେବେ ଆସି

ସହସା କହିବ କର୍ଣ୍ଣେ ‘ହାୟ ମତ୍ତକାଶୀ ।

 

 

 

ଏ କି କଲ’– ଆସ ପାଶେ ତୁରିତ ଗମନେ

ଆଶ୍ରୟ ତାହାରେ ଦେବି ସ୍ନେହ – ଆବରଣେ ।

***

 

ପ୍ରତ୍ୟାବୃତ୍ତା

 

କେମନ୍ତ ଆସିଲ ଫେରି ? ମଧୁ ଭାଣ୍ଡ ଧରି ପୁଣି ହାତେ ?

ଟିପରେ ସିନ୍ଦୂର ରଖି ଦେବ ବୋଲି ନାଇ ମୋର ମାଥେ ?

 

କେତେ ଦୂରେ ଥିଲ ରହି, ଶୁଣିଛି ମୁଁ ଅଗମ୍ୟ ସେ ବାସ,

ଚନ୍ଦନେ ଭୁଜଙ୍ଗ ସମ ଘେରି ପରା ଥିଲେ ଗୋ ପ୍ରହରୀ ।

 

କେମନ୍ତେ ଶୁଣିଲ ନାରୀ ଏ ଦୀନର କ୍ଷୁବ୍ଧ ଉଷ୍ଣ ଶ୍ୱାସ

କେମନ୍ତେ ଜାଣିଲ ଯେତେ ହାହାକାର ଦିବସ ଶର୍ବରୀ ?

 

ଦକ୍ଷିଣା ପବନ ସଙ୍ଗେ ଯେତେ ମୋର ପ୍ରେରିତ ବାରତା

ରୁଦ୍ଧ ବାତାୟନ ଭେଦି ପଶିଲା ଗୋ କେହ୍ନେ ଅନ୍ତଃପୁରେ ।

 

ଏ ଶତ ଯେ ଜନ ମଧ୍ୟେ କେମନ୍ତେ ଗୋ ବୁଝିଲ ମମତା

ଅବ୍ୟକ୍ତ ପିପାସା ଯେତେ ବୁଝିଲ ବା କେହ୍ନେ ଏତେ ଦୂରେ ?

 

ପ୍ରହରୀର ଜାଲ ଭେଦି ଆସିଲ ବା ହେ ଭୀରୁ କେସନେ

ପ୍ରଭାତେ ଯେ ଅପବାଦ ତା‘ରେ କି ଗୋ ନ ହେଲା ସରମ ?

 

 

 

ମଧୁ ଭାଣ୍ଡେ ଥୋଇ ନାରୀ ଉତ୍ତରଇ ଅଧର କମ୍ପନେ

‘ତୁମରେ ଏ ମଧୁ ଦେଇ ଭୁଲିବି ମୁଁ ବ୍ୟଥାର ଚରମ ।’

***

 

ରୂପସୀର ପୂଜା

 

ଯାଉଁ ପଥେ ଭେଟିଲି ମୁଁ ସୁନ୍ଦରୀ ଷୋଡ଼ଶୀ,

ବକ୍ଷ ତେଜି ଝୁଲୁଥିଲା ନୀଳ ଉତ୍ତରୀୟ ।

 

ଚରମେ ରୁଚିର ବେଣୀ ଦୋଳୁଥିଲା ଖସି,

ବିଁ ଛାଇ ଚଞ୍ଚଳ ବାୟେ ସୌରଭ ଅମିୟ ।

 

ମୁଖେ ତାର ଦରହାସ, ବ୍ରୀଡ଼ାହୀନ ଲୀଳା

ଆୟତ-ଲୋଚନେ ତାର; ଚାହିଁ ପାନ୍ଥ ଜନେ ।

 

ସୃଜନର ରାଣୀପରି କଟାକ୍ଷେ ଛଇଳା

କହେ ଯେହ୍ନେ ନମିବାକୁ ତା’ କାନ୍ତ-ଚରଣେ ।

 

ଆଡ଼ ହୋଇ ଗଲି ଚାଲି – ଦୀନ ହୀନ କବି,

କି ବା ଆସେ ଯାଏ କା’କୁ ନମସ୍କାରେ ତାର ?

 

ଯାଉଁ କିନ୍ତୁ ଡାକିଲା ସେ – ‘‘ଫେର ଅନୁଭବି,

ଚାଲିଯାଅ ? ତୁମପାଇଁ ଏ ଯେ ଅହଂକାର !’’

 

 

 

‘‘କି ସେବା ମୁଁ ପାରେ ଦେଇ ?’’ – ଉତ୍ତରେ ସୁନ୍ଦରୀ

‘‘ସୁନ୍ଦରୀ ବୋଲି ମୁଁ ଥରେ ଡାକ ବୀଣା ଧରି ।’’

***

 

କ୍ଷମା କର

 

କ୍ଷମା କର ସଖୀ କ୍ଷମା କର

ଝୁଁଟି ପଡ଼ିଥିବା ସାଥିକି ସେନେହେ

ତୋଳି ଧର । ଘୋଷା ।

 

ଚାଲିଲେ ତ ପଥ, ପାଦ ଖସେ ଜାଣ

ମୁଞ୍ଚ ସଖୀ ଏ କୋପନ ଅଭିମାନ,

ପ୍ରଣୟ ପରଶେ ପଙ୍କ ପୋଛି ଦେଇ

ଏ ଦେହକୁ ତମ ଯୋଗ୍ୟ କର ।

 

ଝୁଁଟିବା ତ ନୁହେ ପଦାଘାତ ପଥେ,

ଖସି ଗଲି ବୋଲି ଭୁଲିନି ଗୋ ତତେ

ନଉକାରେ ଯଦି କଣା ଥାଏ, ତାର –

ଡୁବିବାକି ଦୋଷ ସମୁଦ୍ରର ?

 

ଫେରି ମୁଁ ଆସିଛି ତୋର ପାଖେ

ଲୋତକ, ସରମ ଆଖେ ଆଖେ

ନ ନେଲେ ଏ ଦୀନ ଠିଆହେବ ଯାଇ

କେଉଁ କୋଣେ କହ ଏ ବିଶ୍ୱର ।

 

ନାରୀ

 

ପ୍ରଥମେ, ଜନନୀ ତୁମେ, ଧାତ୍ରୀ ଜଗତର

ଜଠରେ ବହିଛ ବିଶ୍ୱେ, ଶୋଣିତ ଦେହର ।

 

ଦେଇ ଏ ବିଶ୍ୱର ଅଙ୍ଗ ଗଢ଼ିଛ ଗୋପନେ

ପବିତ୍ର ଜଠର ତଳେ; ଅମୃତ କ୍ଷରଣେ ।

 

ବକ୍ଷର ତାପରେ, ପ୍ରାଣ କରିଛ ସଞ୍ଚାର

ଧରଣୀର ଶିଶୁ ଦେହେ । କଲ୍ୟାଣ-ପ୍ରସାର ।

 

କରିଛ ଜୀବନେ ତାର କୋଳେ ଟାଣି ନେଇ

ବୁଲାଇ ମଙ୍ଗଳକର, ଯୁଗେ ଯୁଗେ ଏହି ।

 

ତୁମର ପାବନ ଲୀଳା । ତାପରେ ତରୁଣ

ବୟସର ବିଷେ କରି ହୃଦୟ ଅରୁଣ ।

 

ତୁମରେ ବନ୍ଦଇ ଯେବେ, ସ୍ପର୍ଣ୍ଣ ଦୁଇକରେ

କଣ୍ଠ ତାର ଭିଡ଼ି ତୀବ୍ର ଅନୁରାଗ ଭରେ ।

 

 

 

‘ତୁମରି ମୁଁ’ କର୍ଣ୍ଣେ ଯେବେ ଅସ୍ଫୁଟ ବଚନେ

କହଗୋ ହୃଦୟ କଥା, ପୁରୁଷ ଜୀବନେ ।

 

ସେ ଏକ ମାହେନ୍ଦ୍ର ବେଳା; ଦୈବତ ମଙ୍ଗଳ

ସେଦିନ ପାର୍ଥିବ ପ୍ରାଣେ କରେ ଟଳମଳ ।

 

ଏ ପୂଣ୍ୟ ମଧୁର ଲୀଳା ଯୁଗେ ଯୁଗେ ତବ

ମଧୁ-ମୟ କରିଅଛି ନର-ଅନୁଭବ ।

 

ପୃଥିବୀରେ ଗୃହଲକ୍ଷ୍ମୀ ରୂପେ ମାନବର

ନୀଡ଼ ତା’ର ଦିଅ ବାନ୍ଧି; ଦୁର୍ଦ୍ଧର୍ଷ ଶଙ୍କର ।

 

ପୁରୁଷରେ ଶାନ୍ତ କର ଗଭୀର ପ୍ରଣୟେ

ବାହୁଛନ୍ଦି କଣ୍ଠେ ତା’ର, ସକଳ-ସମୟେ ।

 

ଶୁଶ୍ରୂଷା କାରିଣୀ ତୁମେ, ତୁମର ପରଶ

ମାନବର ସଞ୍ଜିବନୀ, ସମର ଅବଶ ।

 

ପୁରୁଷ ଫେରିଛି ସଦା ସେବା ପାଇଁ ତବ

ତୁମ୍ଭର ମଙ୍ଗଳ କରୁ । ତ୍ୟାଗ–ଅନୁଭବ ।

 

ଚିରଦିନ ବକ୍ଷେ ତବ ପୁରୁଷର ଲାଗି,

ବିଧାତାର ପଦତଳେ ନିଅ ବର ମାଗି ।

 

ନିଜେଭୁଲି ପୁରୁଷର ଅନନ୍ତ ମଙ୍ଗଳ,

ପୁତ୍ର-ସ୍ୱାମୀ-ଭାଇ-ପ୍ରିୟ ନିମିତ୍ତ ଉଚ୍ଛଳ ।

 

ବକ୍ଷତବ ସ୍ନେହ-ରାଗେ, ନୟନର ନୀରେ

ଜଗତର ଶୋକ-ତାପ ପୋଛି ଦିଅ ଧୀରେ ।

 

ସନ୍ତାପହାରିଣୀ ନାରୀ, ସନ୍ତାପ-ତପତ

ଦୁଃଖ-ଜରା-ପାପମୟ ମାଟିର ଜଗତ ।

 

ତୁମଲାଗି ସ୍ୱର୍ଗହୁଏ; ତେଣୁ ଆରାଧନା

ମାନବର ତବ ପଦେ; ଅନନ୍ୟ-ବାସନା ।

 

ତବରୂପ ବକ୍ଷେତାର; ତେଣୁ ଏ ସମ୍ମାନ

ମାବବର ସଭାଙ୍ଗନେ; ଦ୍ୱନ୍ଦ୍ୱ ଅଭିଯାନ ।

 

ତେଣୁ ସେ ପରମାନନ୍ଦେ ଦେଇଅଛି ବରି

ତୁମଲାଗି; ରଣଭୂମେ ରକ୍ତସ୍ନାନ କରି ।

 

ତେଣୁ ସେ ଫେରଇ ଗର୍ବେ ତବ ପଦତଳେ

ଦେବାକୁ ବିଜୟ-ଗର୍ବ; ତୁମର ମଂଗଳେ ।

 

ଅମଙ୍ଗଳ ଯାଏ ଭୁଲି; କଣ୍ଟକ-ସୁମନ

ସମାନ ଚରିତ୍ର ତବ, ଜୀବନ ମରଣ ।

 

ଉଭୟର ଧାତ୍ରୀ ତୁମେ, ହେ ରହସ୍ୟମୟୀ

କବି ନମସ୍କାର ତବ ପଦେ ସମର୍ପଇ ।

***

 

ମହାଦାନ

 

ପଥେ ପଥେ ଚାଲିଛନ୍ତି ଲୋକ,

ସମାରୋହେ ବାଜୁଅଛି ବାଜା,

ଆଜି ହେବ ଦରବାର; ଯହିଁ

ବିଜେ ହେବେ ନିଜେ ମହାରାଜା ।

 

ତେଣୁ ଏ ଯେ ବିପୁଳ ଜନତା,

ଉତ୍ସବର ଉଚ୍ଛଳ ପ୍ରକାଶ,

ସାଆଁତମାନଙ୍କ ସାଜସଜ୍ଜା,

ନାଗରୀକ ଅଂଗେ ବେଶବାସ ।

 

ପଥେ ପଥେ ଚାଲେ ଗାଡ଼ି ଘୋଡ଼ା

ସଇନିକ, ଓଟ, ଗଜ, ରଥ

ଆଡ଼ମ୍ୱର ବିରାଜଇ ଆଜି

ନାନା ବେଶ ଧରି ରାଜ ପଥ ।

 

ପଥଧାରେ ଦୂରେ ଦୂରେ ବସି

ଶୂନ୍ୟ ଦୃଷ୍ଟି ଦେଇ ଜନତାରେ

 

 

ଭିକାରିଏ ବସିଅଛି ମୌନେ

ଦୁଃଖ ତାର କହିବ କାହାରେ ?

 

ମାଗେ ନା ସେ ମାଣିକ ରତନ

ହାତୀ ଘୋଡ଼ା, ସାମନ୍ତ-ବିଭୂତି

ଏକ ମୁଠା ଅନ୍ନ ଖାଲି ମାଗେ,

ଟିକେ ନର ହୃଦ ଅନୁଭୂତି ।

 

ତଥାପି ତ ସୁନାରୂପା ଯହିଁ

ଗଡ଼ାଗଡ଼ି ହୁଏ ଅଯତନେ,

ସେହି ପଥଧାରେ ବସି ଭୋଖୀ

ପ୍ରାଣ ଦହେ ଅବ୍ୟକ୍ତ କଷଣେ ।

 

-୨-

 

ପଥଘାଟ ଶୂନ୍ୟକରି ଏବେ

ଯାଇଛନ୍ତି ରାଜା ମହାରାଜା

ସରିଲାଣି ଜନତାର ଧାର,

ବାଜୁନାହିଁ ସମାରୋହେ ବାଜା ।

 

ପଥେ ଚାଲେ ଏକେଲା ଭିକାରି

ଏକହାତେ ଧରି ଭିକ୍ଷା ଝୁଲି,

ଅନ୍ୟହାତେ ଅତି ଯତନରେ

ଧରିଅଛି ଅନ୍ନର ଗୁଟୁଳି ।

 

କେତେ ପଥ ଘୁମି ଘୁମି ସେ ଯେ

ପାଇଅଛି ସେ ମୁଠିକ ଭାତ

ଦୁଇଦିନ ଖାରା ଉପବାସୀ-

ଆଜି ତାର ମଙ୍ଗଳ ପ୍ରଭାତ !

 

ଦେଖିଲା ସେ ପଥଧାରେ କିଏ

ବସିଅଛି ନୀରବ ବ୍ୟଥାରେ

ଲୁହ ଭରା ଆଖି ଦୁଇ ତା’ର

ହାତ ଅଛି ମଳିନ ମଥାରେ ।

 

ଧୀରେ ଧୀରେ ଏକଲା ଭିକାରି

ପାଶେ ତାର ଯାଏ ଅନ୍ନ ଧରି

ପଚାରଇ ‘‘କି ଦୁଃଖ ହେ ଭାଇ

ଲୁହ କିପାଁ ଦିଶେ ଆଖିଭରି ?

 

 

 

ବହୁଦିନୁ ଉପବାସୀ ପରି

ମୁହଁ କିପାଁ ଦିଶୁଛି ଶୁଖିଲା ?’’

ସକରୁଣ ପ୍ରଶ୍ନେ ଉପାସୀର

ଆଖି ଲୁହ ଦ୍ୱିଗୁଣେ ବହିଲା !

 

ବିଝିଲାତା ବଦାନ୍ୟ ଭିକାରି

ଥୋଇ ତାର ଅନ୍ନର ପୁଟୁଳି

ହାତଭିଡ଼ି ଡାକେ ଭୁଞ୍ଜିବାକୁ

ଦୁହେଁ ମିଶି ସବୁ ଖେଦ ଭୁଲି ।

***

 

ସୃଜନ-ସୁକ୍ତ

 

(ଋକ୍ ବେଦ, ଦଶମ-ମଣ୍ଡଳ)

 

ନ ଥିଲା ସତ, ବା ଅସତ ନ ଥିଲା

ନ ଥିଲା ଆକାଶ, ବାୟୁ ବା ତହିଁ

କିବା ଆବରଣ ? କେଉଁଠି ? ଅତଳ

ବାରି ଥିଲା । କିଏ ପାରିବ କହି ?

 

ମୃତ୍ୟୁ ନ ଥିଲା, ଅମୃତ କେହି

ନ ଥିଲେ, ନଥିଲା ରାତ୍ରି ଦିନ;

ଥିଲେ ଏକ ସେହି ପ୍ରାଣବାନ୍ ଆପେ,

ନାହିଁଥିଲା କିଛି ତା’ଠାରୁ ଆନ ।

 

ତମଥିଲା ନିଜେ ଆବୃତ ତମେ;

ସକଳ ବିରାଟ ବିଶୃଙ୍ଖଳା,

ଯାହାଥିଲା, ସବୁ ନିୟମ ବିହୀନ;

ଅନୁଭବ ରସେ ଏକକ ହେଲା ।

 

 

 

ଜାଗ୍ରତ ହେଲା ତାପରେ କାମନା,

ବିଶ୍ୱ-ପ୍ରାଣର ଆଦ୍ୟ ବୀଜ,

ଚଷ୍ଟିଗଣ ଧ୍ୟାନେ ଅସତ ଭିତରେ

ସତର ଜନ୍ମ କରିଲେ ହେଜ ।

 

ତାପରେ ପଡ଼ିଲା ବ୍ୟବଧାନ ରେଖା,

ଆଢ଼ୁଆଳ କରି ଉପରତଳ

କିଥିଲା ଉପରେ ? କି ରହିଲା ତଳେ ?

ଧରାରେ ଜନନ ହେଲା ପ୍ରବଳ ।

 

କିପରି ଏହାର ଜନ୍ମ ହୋଇଲା,

କିଏ ସେ କହିବ ତଥ୍ୟ କରି ?

ଦେବତା ସବୁତ ପରେ ହେଲେ ଜାତ,

କେ କହିବ ଏହା ହେଲା କିପରି ?

 

ଆଦ୍ୟେ ଯେ ଥିଲେ ସିଏ ବା ଆନକେ

ରଚିଲେ ବିରାଟ ଏହି ଜଗତେ ?

ନୟନ ଯାହାର ଦେଖଇ ବିଶ୍ୱ,

ସେ ଜାଣଇ ବୋଲି କିବା ପରତେ !

***

 

ବିଶ୍ୱଦେବାଳୟ

 

ଶୁଣିଲି ଏଇ ବିପୁଳ ବିଶ୍ୱ ପରେ

ବିରାଟ ଏକ ଦେଉଳ କାହିଁ ଠିଆ,

ଲକ୍ଷ ଲକ୍ଷ ଭକ୍ତ ଆତଯାତ,

ଅମୃତର ନିତ୍ୟ ଖିଆପିଆ ।

 

ଜିଜ୍ଞାସିଲି ତହୁଁ ମୁଁ ଅନେକ

ପାନ୍ଥ ଜନେ ଦେବାଳୟ କଥା,

କେଉଁଠି ଅଛି ? କେତେ ଦୂରତା’ ପଥ ?

କିଅବା ରୂପ ପୂଜିତ-ଦେବତା ?

 

ଅନେକ ପାନ୍ଥ ବୋଇଲେ ବିସ୍ମୟେ,

‘‘ଏପରି ଏକ ଦେଉଳ ଅଛି କାହିଁ,

ଶୁଣିତ ନାହୁଁ ପୂର୍ବେ କେଉଁଠାରେ,

ପାଗଳ କିଏ ଦେଇଛି ବତାଇ ।’’

 

ଶେଷରେ ଏକ ଆସିଲେ ଭକ୍ତ ଜନ

ଦୃଷ୍ଟି ତାଙ୍କ ପଡ଼ିଲା ମୁଖେ ମୋର,

 

 

କହିଲେ ଆପେ । ଖୋଜୁଛ ବୋଧେ ପାନ୍ଥ,

ଧରଣୀ ପରେ ଦେଉଳର ଖବର ।

 

ପାଉନ ଦେଖା ? ପାଇବ କେହ୍ନେ କହ,

ପାଷାଣେ ଗଢ଼ା ନୁହେ ତ ତାର ଦେହ

ହସ୍ତ ଘେନି ନ ହୁଏ ତା’ ପରିମାପ,

କ୍ଷୁଦ୍ର, ବିରାଟ ବିଚିତ୍ର ସେ ଗେହ ।

 

ଚରଣତଳୁ ଅନ୍ତରୀକ୍ଷ ଭେଦି

ମହାବ୍ୟୋମ ସ୍ପର୍ଶେ ସେ ଦେଉଳ

ଏଇଯେ ଘାସେ ପୂଜାର ବେଦୀ ତାର,

ନକ୍ଷତ୍ରରେ ଆଲୋକିତ ତା’ ଚୂଳ ।

 

ଅରୂପ ତହିଁ ଦେବତା ଅଛି ବସି

ଅୟୁତ ତା’ର ନେତ୍ର ସଦା ମେଲି,

ଏକଥା କେବେ ନୋହିଛି ଶ୍ରୁତି ଗତ

ହତାଶେ ତହୁଁ ଆସିଛି କେହି ଫେରି ।

 

ଖୋଜହେ ବାପ’’- କହି ସେ ଭକ୍ତ ପାନ୍ଥ,

ଚକିତେ ଗଲେ ଜନଗହଳେ ମିଶି,

 

 

ଶୁଣିଲେ ନାହିଁ ଡାକିଲି ଯେତେ ଉଚ୍ଚେ,

ପାଇଲି ନାହିଁ ଖୋଜି ମୁଁ ଦଶଦିଶି ।

 

ଅଜ୍ଞ ପାନ୍ଥ ସେଦିନୁ ଅନ୍ୱେଷଇ

ଧରାରେ ସେହି ବିରାଟ ଦେବାଳୟ,

ଏ ଯାଏଁ ମୁଁ ତ ଦେଖିଲି ନାହିଁ ତାହା,

ଖେଜୁଛି ନିତ୍ୟ ପୂରାଇ କୁତୁହଳ ।

 

ତଳର ଘାସେ ଅନାଇ ଚାଲେ ନିତି

ପରାଣ କତା ଶୁଣାଇ କହେ ତାରେ

ଅଦେହୀ ସେହି ଦେବତା ଶୁଣେ କାହୁଁ ?

ବଢ଼ଇ ବ୍ୟଥା ଲାଗଇ ମୋ ହିୟାରେ ।

 

ତଥାପି ନିତ୍ୟ ଖୋଜଇ ପାନ୍ଥ ମୁହିଁ,

ଅରୂପ ସେହି ଦେବତା ପୁରଦ୍ୱାର,

ଅତୁଷ୍ଟ ମୋର ପିପାସା ଅଛି ପ୍ରାଣେ,

ଦେଖିବି ଆଖେ, ଶୁଣିବି ବାକ୍ୟ ତାର ।

***

 

ଧ୍ରୁବତାରା

 

ଧ୍ରୁବତାରା ଯଦି ନାହିଁ,

କେସନେ ଭୁବନ-ସାଗରେ ତରଣୀ ବାହି ?

 

କୂଳୁଁ ଯେବେ ମୋର ନଉକା ଟେକିଲା ପାଇ

କନକ ତପନୋଜ୍ଜ୍ୱଳ ଥିଲା ସେଇ କାଳ;

ମେଲିଲି ତରଣୀ ସୁଖେ ସଙ୍ଗୀତ ଗାଇ;

ଧ୍ରୁବତାରା ଏବେ କାହିଁ ?

 

କୂଳୁଁ ବହୁ ଦୂରେ ଆସିଛି ମୁଁ ଏବେ ଭାସି

ନୟନେ ପଡ଼ୁଛି ଖାଲି ନୀଳ ଜଳରାଶି,

ଭୂମି କାହିଁ ? କହ କେସନେ ମୁଁ ଦିଗ ପାଇ

ଧ୍ରୁବତାରା ଯଦି ନାହିଁ ?

 

ଲକ୍ଷ ତରୀ ତ ଯାଇଥିବ ଏହି ପଥେ

ସେହି ତାରାଟିର ବାଣୀହୀନ ସଂକେତେ,

ଲୁଚିଲା କି ସେ ଯେ କେବଳ ମୋହରି ପାଇଁ,

ଧ୍ରୁବତାରା ନାହିଁ, ନାହିଁ !

 

ଉପରେ ଜଳଦ ଗର୍ଜନ ଘନ ଘନ,

ଗଭୀର ରାତ୍ରି, ଦୃପ୍ତ ପ୍ରଭଞ୍ଜନ,

ସ୍ରଷ୍ଟା ହେ କହ ଯାତ୍ରୀ ମୁଁ ଯାଏ କାହିଁ,

ଧ୍ରୁବତାରା ଦେଖା ନାହିଁ !

 

ବିଚିତ୍ର ଏ ଯେ ବାହିବା ତରଣୀ ସାଗରେ,

ମରଣ ଚାଲୁଛି ଜୀବନ ଆଗରେ ଆଗରେ

ମରଣକୁ ଏଡ଼େ ଯାତ୍ରୀ ତାରାରେ ଚାହିଁ,

ସେହି ତାରା ଆଜି କାହିଁ ?

 

କିବା ଅପରାଧ ମୂର୍ଖ ନାବିକ କଲା

ସକଳର ତାରା ତାହାଲାଗି ଲୁଚିଗଲା;

ସାଗରର ରାଜା, ପଚାରିଲେ କହେ ନାହିଁ

ମହା ଦରିଆରେ ଧ୍ରୁବତାରା ଗଲା କାହିଁ !

***

 

ଉପହସିତ

 

ହସିବେ ଲୋକେ ସିନା କରିବେ ଥଟା

ଜାଣିଲେ ତୁମ-ମୋର ଗୋପନ-କଥା ।

ଅଗଣ ଭୁବନର ରାଜାଧିରାଜ ତୁମେ

ମୁହିଁ ତ ହୀନ ଧୂଳି କଣାରୁ

ତପନ ତାରା ତବ ଚରଣେ ନମେ,

କ୍ଷୁଦ୍ର ନାହିଁ କେହି ମୋଠାରୁ;

ଏଥେକି ସମ୍ଭବେ ପରାଣ-ବିନିମୟ

ପରାଣ ପରାଣରେ ପ୍ରଣୟ-ଘଟା ?

ଜାଣେ ମୁଁ ପ୍ରାଣେ ପ୍ରାଣେ ଦୀନତା ମୋର ସ୍ୱାମୀ;

ମୋହର ତୁମଠାରୁ ଦୂରତା

ତଥାପି କିପାଇଁ ଯେ ବ୍ୟାକୁଳ ଦିନ-ଯାମୀ

ପାଇବି ବୋଲି ତବ ମମତା !

 

ଧୃଷ୍ଟ ଭାବ ଏହି କ୍ଷମିବ କିଏ ?

କରିବନିକି ଲୋକେ କଥାରେ ଥଟା ?

ତେଣୁ ହେ ରାଜରାଜ କରଇ ନିବେଦନ

ପାଏ ବା ନାହିଁ ତବ ପ୍ରସାଦ

ପ୍ରୟାସ ଲାଗି ମୋର ହସଁ ତୁ ନାହିଁ ଜନ

ପୁରୁ ନ ପୁରୁ ପଛେ ମୋ ସାଧ ।

ବିଫଳ ହେବା ଆଗୁ ହୋଇବା ଲୋକହସା,

ଅକିଂଚନ ପ୍ରାଣେ ପରମ ବ୍ୟଥା ।

***

 

ଯାଇଛି ସେ

 

ଖେଳିବାକୁ ଯାଇଛି ସେ ?

ଫେରିନି ଏ ଯାଏଁ ?

ଆଉ କି ଆସିବ ନାହିଁ ?

କିପରି କଥା ଏ !

 

ନୟନର ତାରା ସେ ଯେ

ଆନନ୍ଦ ପ୍ରତିମା,

ଉଝଟେ ବି ଢାଳୁ ଥାଇ

ପ୍ରାଣେ ମଧୁରିମା ।

 

ସେ ଯେ ନାହିଁ – ଅନ୍ଧ ଆଜି

ଆମେ ଦୁଇ ପ୍ରାଣୀ;

ମରଣ ହେ, ଶୁଣାଇ କି

ପାରିବ ତା’ ବାଣୀ ?

***

 

ଶୁଭ ଦୃଷ୍ଟି(୨ୟ ସର୍ଗ)

 

‘‘କାହିଁ ଗଲେ ?

କାହିଁ ଗଲେ ସେ ଲୋ ସଖୀ, ଛାଡ଼ିଦେଇ ମତେ

ଏତେଦିନ ଏକାକିନୀ ଏ ବିଶାଳ ପୁରେ ?

ନିଷ୍ଠୁର ପୁରୁଷ ହିୟା, ନିଷ୍ଠୁର ପୁରୁଷ

କି ଜାଣିବେ ସେ ଲୋ ସଖୀ, ରମଣୀ-ହୃଦୟ ?

କି ଜାଣିବେ ସେ ଲୋ, ନାରୀ ଅନ୍ତରାଳେ ରହି

କେମନ୍ତେ ମୁଞ୍ଚଇ ଅଶ୍ରୁ ବିରହେ ତାଙ୍କର ।

 

କହି କି ନ ଯାନ୍ତେ ମତେ ? କହୁଥିଲୁ କିସ ? –

କାହିଁ ଯାଇଛନ୍ତି ବୀର ? ଆଉ ଥରେ କହ,

ଭୁଲି ମୁଁ ଯାଉଛି ସଖୀ, ବେଦନା ରଭସେ;

ବୁକୁ ମୋର ଯାଏ ଫାଟି – ମନେ ହୁଏ ଯେହ୍ନେ

ଅପରାଧେ କିଛି ମୋର ପ୍ରାଣପ୍ରିୟତମ

ଚିରକାଳ ଲାଗି ଅବା ତ୍ୟକ୍ତ କଲେ ମତେ !

କି ଅପରାଧିନୀ ମୁହିଁ ? ପ୍ରାଣର ସର୍ବସ୍ୱ

ସମର୍ପି ଯାହାରେ କରେ ନିତ୍ୟ ଆରାଧନା

କେବେ ତା’ ଚରଣେ ହେଲା ପୂଜା ବ୍ୟତିକ୍ରମ ?

କହିଛନ୍ତି କାରେ କିଛି ? କହ ଥରେ ଆଉ

କେବେ ଲୋ ଆସିବେ ଫେରି ।

କୁଞ୍ଜରିକା ସଖୀ,

ଉତ୍ତରିଲା ମୁଖ ପୋତି – ‘‘କିପାଁ ଜେମାମଣି,

ଅକାରଣ ହୁଅ ଏତେ ଉଚ୍ଛନ୍ନ-ଆକୁଳ ?

କହିଲିଣି କେତେ ବାର ଅର୍ଜୁନ ଶୁରେନ୍ଦ୍ର

କରିଛନ୍ତି ବିଜେ ପରା ପାରିଧି ଗହଣେ

ଦୂର ଗୋଦାବରୀ ବନେ – ଫେରିବେ ତ ପୁଣି,

ଉଚ୍ଛନ୍ନ କିପାଁଇ ଏତେ ?’’

‘‘ଉଚ୍ଛନ୍ନ କିପାଇଁ ?’’

ଉତ୍ତରେ ନାଗେନ୍ଦ୍ରଜେମା ଥରାଇ ଅଧର

‘‘ଉଚ୍ଛନ୍ନ କିପାଇଁ କହୁ ?’’ ପଚାର କାହାରେ

ଏକ ପ୍ରାଣ ଆନ ପ୍ରାଣେ ଟାଣଇ କାହିଁକି,

ନିର୍ଲ୍ଳଜ୍ଜେ ଦିଅଇ ଢାଳି କିପାଁ ଏକ ହିୟା

ଆପଣାର ଶ୍ରେଷ୍ଠ ଅର୍ଘ୍ୟ ଆନ ପଦତଳେ !

କିପାଇଁ ତରୁଣେ ଦେଖି ତରୁଣୀ ହୃଦୟେ

ଶୋଶିତ ଉଠଇ ଫୁଟି – ହୁଏ ଅଭିଳାଷ

ଦୁହିଁଙ୍କର ଅଙ୍ଗେ ଅଙ୍ଗ ମିଶାଇ ନିବିଡ଼େ

ଅଧରେ ଅଧର ରଖି ଭୁଲିଯିବେ ଯେତେ

ଜଗତର ଦୁଃଖ, ଶୋକ, ମାନ, ଅପବାଦ ?

 

କିପାଇଁ ପଚାର ଯାଇ ରାଧା କୁଳବଧୂ

ବହି ମାଥେ ପଦେ ପଦେ ଲୋକ ଅପବାଦ

ଗଞ୍ଜନା, ଲାଞ୍ଛନା, ଲଜ୍ଜା, ଘୃଣା, ଅବହେଳା

ଗୃହ ତେଜି ଅନ୍ଧକାରେ ଗଲା ନୀପବନେ ।

କିପାଇଁ ବସନ୍ତ ରାତେ ମଳୟ ପରଶେ

ଅଜ୍ଞାତେ ରୋମାଞ୍ଚ ଆସେ ତରୁଣୀର ଦେହେ

ଅଲକ୍ଷ୍ୟେ ମାଗଇ ଚିତ୍ତ-ପରଶ କାହାର !

 

ପଚାର ନିଜରେ ତୁହି, ନିଶା ଆଗମନେ

ରଥାଙ୍ଗ କିପାଇଁ ରଚେ ଆକୁଳ କାରୁଣ୍ୟ,

କିପାଇଁ ଉଦ୍ୟାନ-ସରେ ପଙ୍କଜ-କଳିକା

ଫୁଟିଉଠେ ପ୍ରଭାତରେ ରବିକର ଲଭି,

ଧୀରେ ଧୀରେ ସ୍ୱର୍ଣ୍ଣଦଳ ଖୋଲି ଗୋଟି ଗୋଟି

ସଲଜ୍ଜ ନବୀନା ବଧୁ ଆଦ୍ୟବାଣୀ ସମ ।

 

କିପାଁ ବା ସୌରଭ ଲୋଭୀ ରସିକ ଭ୍ରମର

କାହୁଁ ଦୂର ବନାନ୍ତରୁ ଗନ୍ଧ ଲଭି ତା’ର

ଉଡ଼ିଆସେ ଚୁମ୍ୱିବାକୁ ନବ-ଷ୍ଫୁଟିତାରେ !

ପଚାରୁ ଉଚ୍ଛନ୍ନ କିପାଁ ? ଅବୋଧ ବାଳିକା

ପାଅ ମୋ ଉତ୍ତର ତହିଁ, ଉଚ୍ଛନ୍ନ ମୁଁ କିପାଁ !

ଦେଖି ଏ ଚାନ୍ଦିନୀ ରାତି, ବସନ୍ତ ସମୟ

ଶୀକରିତ, ସୁରଭିତ ସ୍ପର୍ଶ ମଳୟର

କାହିଁ ସେ ତରୁଣୀ ଯା’ର ଶରୀରେ, ବାଳିକା,

ନ ଆସେ ରୋମାଞ୍ଚ ଫୁଟି ନୀପ ପୁଷ୍ପ ସମ ?

ଉଚ୍ଛନ୍ନ କିପାଇଁ କହୁ ? ଜାଣୁ କିଲୋ ସଖୀ,

ବକ୍ଷର ବେଦନା କିଛି ? – କେମନ୍ତେ ବିରହ

ତରୁଣୀର ବକ୍ଷେ ପଶି ଆତତାୟୀ ସମ

କରତର ତୀକ୍ଷ୍ଣ ଦନ୍ତେ କାଟଇ ନିର୍ମମେ

ତିଳ ତିଳ କରି ମାଂସ ? ସାରା ବକ୍ଷ ଧରି

ଜ୍ୱଳନ୍ତ ଅଙ୍ଗାରରାଶି କେହ୍ନେ କୁହୁଳଇ

ସାରାଦିନ ଅନ୍ତର୍ଦାହେ ପୋଡ଼ାଇ ଜୀବନ !

ଅନୁଭବୀ ଜାଣେ ସିନା, ତୁ କାହୁଁ ବୁଝିବୁ

ଉଚ୍ଛନ୍ନ କିପାଇଁ ଏତେ ନାଗେଶ ନନ୍ଦିନୀ ।

 

ହାୟ, ସେ ପ୍ରଥମ ଦୃଷ୍ଟି ! କ୍ଷୀରୋଦ ଉତ୍‍ଥିତ

କଳ୍ପତରୁ ସମ ଯେବେ ସୁନ୍ଦର ଫାଲ୍‍ଗୁନୀ

ହ୍ରଦତୀରେ ହେଲେ ଉଭା, ମିଳିଲା ନୟନ ।

ଗୋଟିଏ ମୁହୂର୍ତ୍ତ ସଖୀ – ମୁହୂର୍ତ୍ତର ଅବା

ଶତାଂଶର ଏକ ଅଂଶ – ନୟନର ପତା

ଉଠି ଥରେ ଆପେ ଆପେ ଆସିଲା ଓହ୍ଲାଇ,

ଗଭୀର ଲଜ୍ଜାରେ ମୁଖ ହୋଇଗଲା ପୋତି

ନୀଳ ଜଳେ ଚାହିଁ ଖାଲି ଗଣିଲି ପ୍ରମାଦ !

ସମସ୍ତ ହୃଦୟ ମୋର ନୟନର ଦ୍ୱାରେ

ବାର ବାର ଦେଲା ଧକ୍କା – ସେ ଶ୍ରୀକାନ୍ତ ମୁଖ

ଭଲ କରି ଆଉ ଥରେ ନେବାକୁ ପରଖି;

ନ ଉଠିଲା କିନ୍ତୁ ନେତ୍ର ସରମ-ମନ୍ଥର ।

 

ମୁହୂର୍ତ୍ତକ ଦେଖା !

ମୁହୂର୍ତ୍ତକେ ହେଲା ମୋର ଜନ୍ମାନ୍ତର ସଖୀ ।

ଗୃହେ ଫେରି ଦେଖିଲି ମୁଁ ତରଳ ବୟସୀ

ଉଲୁପୀ ନାହିଁଛି ଆଉ, ଯାଇଛି ସେ ଚାଲି !

ସ୍ଥାନେ ତାର ଆସିଅଛି ମନ୍ମଥ-ଲାଞ୍ଛିତା

ବିଦୀର୍ଣ୍ଣ-ହୃଦୟା ନିତ୍ୟ-ପିପାସୀ ତରୁଣୀ !

ହାୟ ସେ ପିପାସା ସଖୀ, ଶାନ୍ତି କାହିଁ ତାର ?

ମନେହୁଏ ଯେହ୍ନେ ମୋର ପ୍ରାଣ-ପ୍ରିୟତମେ,

ନିବିଡ଼ ଆଶ୍ଲେଷେ ଧରି ଉଡ଼ିଯାନ୍ତି କାହିଁ

ଅନନ୍ତ ବାରିଧି ପାରେ ଜନହୀନ ଦ୍ୱୀପେ –

ଶୋଇ ତହିଁ କେଉଁ ଏକ ତରଙ୍ଗିଣୀ କୂଳ –

ଶୈବାଳ କୋମଳ ଶେଯେ, କୁଞ୍ଜଛାୟା ତଳେ,

ଅଧରେ ଅଧର ରଖି, ଯୁଗ ଯୁଗାନ୍ତର

କଟାନ୍ତି ଅବାଧ ସୁଖେ – ତେବେ ବା ସଜନି,

ମେଣ୍ଟନ୍ତା ପ୍ରାଣର ଏଇ ନିବିଡ଼ ପିପାସା !

କୋଳାହଳମୟ ଏହି ମହା ରାଜପୁରୀ,

ଶତ ଶତ ଦାସଦାସୀ କୁତୂହଳୀ ଦୃଷ୍ଟି

ପଛେ ପଛେ ଅଛି ଲାଗି – କି ବୁଝନ୍ତି ସେ ଲୋ

ପରାଣେ ପ୍ରଣୟ-ମୂଲ୍ୟ ? ଅସଂଖ୍ୟ ଜଞ୍ଜାଳେ

କେତେ ଦଣ୍ଡ ହୁଏ ଦେଖା ପ୍ରିୟ ସଙ୍ଗେ ମୋର ?

ଏଥେ କି ଉଚ୍ଛନ୍ନ ହେବା ମଣୁ ଆଚମ୍ୱିତ ?

ନୂତନ ପ୍ରଣୟେ ସଖୀ ମଦନ ଦେବତା

ମନୋରଥୁଁ ଖର ବେଗେ ବାଣ ଛାଡ଼େ ତାର ।

ସେ କାଳେ ପ୍ରିୟ ଲୋ ଯଦି ନାହିଁ ଥାଏ ପାଶେ,

ତାର ଦୃଢ଼ ଭୁଜଦଣ୍ଡେ ଆଶ୍ଲେଷି ଏ ଗ୍ରୀବା

ମୁହୂର୍ତ୍ତକ ହୁଏ ଭାରି କଳ୍ପଯୁଗ ସମ,

ଅଗ୍ନିଗିରି ସମ ବୁକୁ ବେଦନା ରଭସେ

ଇଚ୍ଛଇ ପଞ୍ଜର ଫାଟି ଆସିବ ବାହାରି !

ସେଇ ଦୃଷ୍ଟିଲାଭ ଦିନୁଁ କେତେଦିନ ଆହା,

ଭୋଗୁଛି ଉଲୁପୀ ଏଇ ଅବ୍ୟକ୍ତ ବେଦନା

କି ଜାଣିବୁ ତୁହି ସଖୀ, ଅନ୍ତରହିଁ ଜାଣେ ।

 

 

 

ମନେ ଅଛି ମୋର ସେହି ମଧୁର ପ୍ରଭାତ,

ପିତ୍ରାଦେଶେ ଗଲି ଯେବେ ଫାଲ୍‍ଗୁନୀ ମନ୍ଦିରେ,

ଏକାକିନୀ ବୀଣା ସହ ଗାଇବାକୁ ଗୀତ ।

ସରମ-ମନ୍ଥର ପଦେ ମନ୍ଦିରେ ପ୍ରବେଶୁ,

ପ୍ରତେ ହେଲା ଯେହ୍ନେ ସଖୀ ହୋମ ଅଗ୍ନି-ଶିଖା

ଜଳୁଛି ନିର୍ଧୂମ ତେଜେ – ହେମ ଗୌର ବପୁ

ବସିଛନ୍ତି ମଣିପୀଠେ ମଧ୍ୟମ ପାଣ୍ଡବ

କନକ ଜଳଦ ପରେ ରବି-ବିମ୍ୱ ସେ କି !

କେଶରୀ ବିକ୍ରମ ଠାଣି – ସେ ପେଶି-ପେଶଳ

ଭୁଜଦଣ୍ଡ ଦୁଇ ଲମ୍ୱି ଚୁମ୍ୱିଛି ଭୂତଳ,

କୁଞ୍ଚିତ-ଚିକ୍କଣ-କୃଷ୍ଣ ଘନ କେଶରାଜି

ପଡ଼ିଛି କନକ ସ୍କନ୍ଧେ – ସାୟନ୍ତନ ନଭେ,

ସମାବେଶ ସେ କି ଅବା କୃଷ୍ଣ ଜଳଦର ।

ସୁଗୋଲ ସୁନ୍ଦର ମୁଖ, ଉନ୍ନତ ଲଲାଟ

ଉନ୍ନତ ସୁଠାମ ନାସା, ପୃଥୁଳ ଅଧର

ସୁଦୃଢ଼ ଚିବୁକ ଖଣ୍ଡ, ସୁବଳିତ ଗ୍ରୀବା,

ହେମ ଘନ ସମ ବକ୍ଷେ ଚନ୍ଦନ ପ୍ରଲେପ

-ଶୁଭ୍ର ଶିବ ଭାଲେ ସେ କି ଚନ୍ଦ୍ରିକାର ଛଟା-

ଆକୁଳ ମନ୍ଦିର ତାଙ୍କ ଶରୀର ସୁବାସେ !

 

ପ୍ରଣମି ଆନତ ମୁଖେ ଚରଣେ ତାଙ୍କର,

ଘୁଞ୍ଚି ଦୂରେ ଲଜ୍ଜାଭରେ, ସ୍ଫଟିକ ଚଟାଣେ

ପଦ ନଖ ଘଷ ଧୀରେ, ମୌନେ ହେଉଁ ଠିଆ

ଭାଷିଲେ ସସ୍ମିତେ ବୀର – ‘‘ଠିଆ ଯେ ରହିଲ !

ଅଳଂକୃତ କର ଏଇ ପଦ୍ମରାଗ ପୀଠେ

ଆପଣାର ଦେହ ପୁଷ୍ପେ; ରଖ ବୀଣା ସେଥି

ଗାଅ ଯଦି ହୁଏ ଇଚ୍ଛା, ଇଚ୍ଛା ନାହିଁ ଯଦି

କ୍ଷତି ନାହିଁ କିଛି ଜେମା; ବିପଞ୍ଚିର ତାର

କୋମଳ ଅଙ୍ଗୁଳି-ଘାତ-ସୁଖ ନାହିଁ ପାଇ

ମରୁ ଆଜି ମୌନ ଦୁଃଖେ; ସରମ-ଶଂକିତ –

ଚରଣ-କେୟୁର ନାଦେ ପାଇଛି ସୁନ୍ଦରୀ ।

ତୁମ୍ଭର ସଙ୍ଗୀତ ସ୍ୱାଦ !’’ – ମରଣରୁ ବଳି

ଲାଗିଲା ସେ କାଳ ମତେ ସରମ-ବ୍ୟଥିତ,

ପ୍ରଶଂସାର ଗୁରୁ ଲଜ୍ଜା ମସ୍ତକରେ ଥୋଇ

ଚଳି ମୁଁ ନ ପାରି ତିଳେ, ପଡ଼ି ମୁଁ ବସିଲି

ସେଇ ସ୍ଥାନେ, ବୀଣାଖଣ୍ଡି ଥୋଇ କୋଳେ ମୋର

ନୟନ ରଖି ଗୋ ସେଇ ସ୍ଫଟିକିତ ଭୂମେ !

ତାଙ୍କ ଗୁରୁ ଅନୁରୋଧେ ବସିଲି ମୁଁ ଥରେ

ଗାଇବାକୁ କଣ୍ଠଟେକି, ବାଇବାକୁ ବୀଣା –

ନ ଫିଟିଲା କଣ୍ଠସ୍ୱର, ବୀଣାଦଣ୍ଡ ସଖୀ

କରର ଆୟତ୍ତ ନାହିଁ ମାନିଲା ସେଦିନ,

ଆହୁରି ସରମେ ମୋର ମୁଖ ହେଲା ପୋତି

ପଳାୟନ ଅବସର ଖୋଜିଲି ଆକୁଳେ !

ସେ ହେଲା ପ୍ରଥମ ଦେଖା, ପ୍ରାରମ୍ଭ ଆଳାପ ।

ଜାରି କି ଥିଲି ମୁଁ ସଖୀ, ସମର-କୁଣ୍ଠିତ

ବ୍ୟବହାର ସେହି ହେବ ଦିନେ ପରିଣତ

ପରିହାସ-ରାସ-ହାସ-ମୁଖର ପ୍ରଣୟେ ?

ଆଖି ଆଖି ମେଳେ ସଖୀ ପଣୟର ବୀଜ,

ଉପ୍ତ କରି ମନୋଭାବ ଘନ ଶରଘାତେ

ଫୁଟାଇଲା ସେହି ଦଣ୍ଡେ ଅଙ୍କୁର ତାହାର,

ମୁଗ୍ଧ ସହବାସ-ଜଳ-ସେକେ ସେ ଅଙ୍କୁର

ପରିଣତ ଆଜି ସଖୀ ଘନ କୁଞ୍ଜ ଗୃହେ

ଯାର ମଧୁଚ୍ଛାୟା ତଳେ ଆଜି ମୁଁ ସଜନୀ

ଉଚ୍ଛଇ ଯାପିବି ମୋର ଜନ୍ମ ଜନ୍ମାନ୍ତର

ଏହି ପ୍ରିୟ କଣ୍ଠ ଧରି; ଲୋଡ଼ା ନାହିଁ ମମ

ଆଉ କିଛି, ଯାହା ଲାଗି ବ୍ୟାକୁଳ ଜନତା ।

 

କିବା ଲୋ ମଧୁର ପ୍ରେମ ! ପ୍ରଥମେ ଯେ ଦିନ

ଚୁମ୍ୱିଲେ ପ୍ରିୟ ମୋ’ ଗଣ୍ଡ, ପ୍ରଶଂସି ମୋହରେ,

ଜାଣିଲି ପ୍ରତମେ ମୁହିଁ, କିବା ସୁଖ ଅଛି

ଏ ଦେହର ରନ୍ଧ୍ରେ ରନ୍ଧ୍ରେ, ଶୋଣିତେ ଶୋଣିତେ !

ଥରିଲା ସର୍ବାଙ୍ଗ ମୋର, ନୂଆ ରସ ପାନେ

ରୋମାଞ୍ଚେ ପୂରିଲା ତନୁ, ନୟନର ପତା

ସେ ଗଭୀର ସୁଖ-ଭାରେ ଆସିଲା ଆନମି ।

ତାପରେ ଲୋ, ଦିନୁ ଦିନ ବର୍ଦ୍ଧିଷ୍ଣୁ ପ୍ରଣୟ,

ରସୋଚ୍ଛଳ ଆକର୍ଷଣ ଆନ ଆନ ଲାଗି,

ନିତ୍ୟ ଚେଷ୍ଟା ତୁଷିବାରେ ଦୁହେଁ ଦୁହିଁକରେ,

ଅବାରିତ ଯତ୍ନ କିଏ ବଳିବ ଦେବାରେ

ଆପଣାର ଶ୍ରେଷ୍ଠ ଯାହା ଆନ ପଦତଳେ;

ବିରହେ ଅବ୍ୟକ୍ତ ବ୍ୟଥା, ଅବ୍ୟକ୍ତ ଆନନ୍ଦ –

ମିଳନେ, ସମର୍ପିବାର ନିଖିଳ ହୃଦୟ

ଗୋଟିଏ ଚୁମ୍ୱନେ – ତାହା ବର୍ଣ୍ଣିବି କେମନ୍ତେ,

ପରାଜିତ ଭାଷା ତହିଁ !

 

ସେଦିନୁ ଜୀବନେ ମୋର ନୂତନ ସଂସାର,

ସେ ପର ପୁରୁଷ ଏବେ ପ୍ରିୟତମ ମମ-

ପିତାମାତା, ଜ୍ଞାତିବନ୍ଧୁ କାହାରେ ଏ ପ୍ରାଣେ

ଦେଇନି ଏମତ ସ୍ନେହ, ନିବିଡ଼ ଗଭୀର ।

ତରୁଣୀ ତରଳ ମନ ଉଚ୍ଛେ ହାତ ଧରି –

ରଚିବ କନ୍ଦୁକ କ୍ରୀଡ଼ା ପରାଣ ତାଙ୍କର

ନିଶିଦିନ, ଇଚ୍ଛାହୁଏ ପୁଷ୍ପ ସମ ପୁଣି

ଧରି ତାଙ୍କୁ ନାସା ପାଶେ ଆଘ୍ରାଣିବି ବସି

ସମୟର ଶେଷ ଯାଏଁ, କେବେ ବା ଇଚ୍ଛଇ,

ପ୍ରାଣ ମୋର ଦେଇ ତାର ଶ୍ରେଷ୍ଠ ଉପହାର,

ପୂଜିବ ସେ ଦେବତାଙ୍କ ଚରଣ-କମଳ ।

ଭାବଇ ଯେବେ ଲୋ ସଖୀ ବିରହର କଥା –

ବର୍ଷ ଅନ୍ତେ ଆର୍ଯ୍ୟପୁତ୍ର ଫେରିବା ସ୍ୱପଥେ,

ପ୍ରାଣ ମୋର ଥରିଆସେ, ନ ପାରଇ ଭାବି

କେମନ୍ତେ ବଞ୍ଚିବି କାଳ, ବିରହ ବିଧୁର !

ଏବେ ତ ସଜନୀ ଖାଲି ଧ୍ୟାୟି ତାଙ୍କୁ ମନେ,

କଟେ ମୋର ନିଶିଦିବା – ଦଣ୍ଡେ କ୍ଷଣେ ହେଲେ,

ମନରୁ ଅନ୍ତର ନାହିଁ ହେଉଛି ସେ ରୂପ ।

ଯହିଁ ଯାଏ, ଯହିଁ ବସେ, ମନେ ହୁଏ ପରା –

ଆସିଲେ ମୋ ପ୍ରିୟ ପାଶେ, ଧରିଲେ ମୋ କର,

ଡାକିଲେ ମୋ ନାମ ଧୀରେ ଗଣ୍ଡେ ଓଷ୍ଠ ଦେଇ–

ରୋମାଞ୍ଚେ ମୁଁ ଉଠେ ଥରି, ଚମକି ମୁଁ ଦେଖେ,

ସେ ଖାଲି ଜାଗ୍ରତ-ସ୍ୱପ୍ନ, ପ୍ରଣୟ-ବିକାର ।

ବିଚ୍ଛେଦ ହୁଏ ଯା କେତେ ଦଣ୍ଡ ଦିବସରେ

ଯୁଗ ସମ ଲାଗେ ଭାରି, ଧାଏଁ ମନୋରଥ,

ଦେଖିବାକୁ ପ୍ରିୟ ମୁଖ ଆକୁଳ ଆଗ୍ରହେ ।

ଏମନ୍ତ ପ୍ରଣୟ କହ ସଖୀ କୁଞ୍ଜରିକା,

କେମନ୍ତେ ବିଚ୍ଛେଦ-ବ୍ୟଥା ସହିବ ଜୀବନେ !

ଏ ନିବିଡ଼ ପ୍ରେମ ସଖୀ ଉଠେ ଥରେ ଥରେ,

ଆଶଙ୍କାର କୃଷ୍ଣଛାୟା-ଭାବେ ମନେ ମନେ

କିପାଇଁ ସଲିଳ ବୋଲି ମରୀଚିକା ପଛେ

ଧାଇଁଛି ବାଳିକା ମୁହିଁ ! – ବିରାଟ ଅର୍ଜୁନ

ଦିଅନ୍ତି କି ସତେ ମତେ ପ୍ରାଣର ପ୍ରଣୟ ?

ଶୁଣିଛି ପୁରୁଷ ଜାତି –

ଆଲୋ କୁଞ୍ଜରିକା,

ଏ କିଏସେ ? ଯାଅ, ଯାଅ, ଯାଅ ଅପସରି

ଫେରି ଯେ ଆସିଲେ, ମୋର ପ୍ରାଣ ପ୍ରିୟତମ

କହୁ କହୁ ତାଙ୍କ କଥା ।’’

ବୋଲୁଁ କୁଞ୍ଜରିକା

ଅପସରି ଗଲା ଧୀରେ ଏକ ଦ୍ୱାର ପଥେ,

ଆନ ପଥେ ପ୍ରବେଶିଲେ ଶୁରେନ୍ଦ୍ର ଗାଣ୍ଡିବୀ ।

ପ୍ରବେଶି ଭାଷିଲେ ବୀର – ‘କ୍ଷମ ଜେମାମଣି,

ଦୋଷ ମୋର ନ କହି ଯା ଗଲି ମୁଁ ପ୍ରଭାତେ ।

ସେଇ ଅପରାଧେ ଆଜି କ୍ଷୁର୍ଣ୍ଣ ଦିନମାନ

ଚିତ୍ତ ମୋର, ପାରିଧିରେ ନ ଲାଗିଲା ମନ,

ଅଭିମାନ – ଅଭିରାମ ନେତ୍ର କୋକନଦ

ଚିତ୍ତେ ଉଠି କରାଇଲା ଲକ୍ଷ୍ୟଭ୍ରଷ୍ଟ ମତେ !’’

ବୋଲି, ଯାଇ ଜେମା ପାଶେ କଣ୍ଠ ତାର ଭିଡ଼ି

ଆପଣାର ଦୃଢ଼ ଦୀର୍ଘ ପୃଥୁ ଭୁଜ ଦଣ୍ଡେ

ଓଠ ତାର କରେ ଟେକି ଚୁମ୍ୱିଲେ ନିବିଡ଼େ ।

ପୁଷ୍ପ ଯଥା ବୃନ୍ତକୋଳେ ସ୍ଥିରାଶ୍ରୟ ଜାଣି

ଆନନ୍ଦେ ରହଇ ଫୁଟି, ଉଲୁପି କୁମାରୀ

ଅର୍ଜୁନ ବିଶାଳ କୋଳେ ରହିଲା ଆଉଜି

ଆପଣାର କ୍ଷୁଦ୍ର ମୁଖ ଲଗାଇ ନିବିଡ଼େ

ପ୍ରଣୟୀର ଦକ୍ଷଦେଶେ, ଆଘ୍ରାଣିଲା ସୁଖେ ।

***

 

ଶୁଭଦୃଷ୍ଟି(୩ୟ ସର୍ଗ)

 

କହିଲା ସେ କୁଞ୍ଜରିକା–

‘‘ଜାଣ ଜେମାମଣି,

ଆର୍ଯ୍ୟପୁତ୍ର ଯିବେ ଚାଲି ମାତ୍ର କେତେ ଦିନେ ?

ବାରମାସ ଥିଲା କଣ୍ଟ, ସେ ମଧୁର କାଳ

ପୂରିତ ଆସିଲା ଏବେ’’–

ଉଲୁପୀ କୁମାରୀ

ଦୂରବନେ ଉଦାସୀନେ ଚାହିଁ ବାତାୟନେ,

ନ କହିଲା କିଛି କଥା – ତା’ ଚୂର୍ଣ୍ଣ-କୁନ୍ତଳ

ଉଡ଼ୁଥିଲା ମନ୍ଦ ମନ୍ଦ ବାୟୁ-ବିଧୂନିତ ।

ମୌନ ରହି କିଛି କାଳ ପୁଣି କୁଞ୍ଜରିକା

କହିଲା – ‘‘ଜେମା ଗୋ, ଏଥେ ଭାବନା କିପାଇଁ,

ନୃପତିରେ କହି ବୀରେ ରଖାଅ ନା ଏଥି

ଆଉ କିଛି କାଳ; ସେ ତ ବନବାସୀ ଏବେ,

ଯଥା ଇଚ୍ଛା ରହିବେ ସେ । କିପାଁ ରାଜତନୁ

କଷଣ ଲଭିବ ଭ୍ରମି କାନନ କାନ୍ତାରେ

ଏହିଠାରେ ରହି କଟୁ ବନବାସ କାଳ ।’’

ତଥାପି ଉତ୍ତର ନାହିଁ ରାଜ-ନନ୍ଦିନୀର-

ତୂଷ୍ଣୀ ରହି ସେ ତରୁଣୀ ନ ଶୁଣିଲା ପରି

ଦେଖୁଥାଇ ଦୂରନଭେ ବିହଗ-ବିହଗୀ

ଯାଉଥିଲେ ମିଳି କେହ୍ନେ ସ୍ୱର୍ଣ୍ଣମେଘ ତଳେ ।

ରହିଲେ ମଉନେ ଦୁହେଁ ଆଉ କିଛି କାଳ,

ପୁଣି କହେ କୁଞ୍ଜରିକା –

‘‘କେଡ଼େ ସୁପୁରୁଷ

ଅର୍ଜୁନ ଶୁରେନ୍ଦ୍ର ସତେ ! ବିକ୍ରମେ ଭୁବନେ

ଦ୍ୱିତୀୟ ତ ନାହିଁ କେହି, ଇନ୍ଦ୍ର ପୁଣି ପଶେ

ବିପଦ ପଡ଼ିଲେ ତାଙ୍କ ଧନୁର ଶରଣ,

ତଥାପି ବିନୟେ ବୀର ଅବନତ ସଦା,

ବକୁଳିତ ଚୂତ ସମ । ହସ-ହସ ବାଣୀ

ଶୁଣିଲେ ପରାଣ ହୁଏ, ସ୍ନେହେ ବୀଣାଜନ ।

କି ସୁନ୍ଦର ସୌମ୍ୟ ତନୁ । ଆର୍ଯ୍ୟପୁତ୍ରେ ଦେଖି,

ପ୍ରଥମେ ଜାଣିଲି, ବୋଲି ସୁନ୍ଦର କାହାରେ ।

ଥିଲେ ଯେତେ ଦିନ ଏଥି, ଏ କ୍ଷୁଦ୍ର ନଗର

ଉଠୁଥିଲା ନିତ୍ୟ ପୂରି ତାଙ୍କ ଯଶୋଗାନେ,

ଚାହିଁ ରହୁଥିଲେ ଗୃହେ ପୁର-ନାରୀ ନିତି

ପାରିଧି-ବାହୁଡ଼ା ତାଙ୍କ ଦରଶନ ପାଇଁ ।

ଯିବେ ଚାଲି, ଅନ୍ଧକାର ହେବ ନାଗଦେଶ

ଆଶା ଗତେ ଚିତ୍ତ ସମ । ନିଜେ ଜେମାମଣି

କହନା ରହିବେ ତାଙ୍କୁ – ’’

ନ କହିଣ କଥା କିଛି, କେଶେ ଆପଣାର

ବୁଲାଇଲା କରାଙ୍ଗୁଳି – ଚାରୁ ପଦ-ନଖେ

ଅକାରଣେ ଭୂମି ପରେ କାଟୁଥାଇ ରେଖା ।

ଶଙ୍କିତା ସେ କୁଞ୍ଜରିକା ଜେମା ଆଚରଣେ

ଉଲୁପିର ମୁଖେ ଖାଲି ଚାହିଁଲା ଉଦାସେ,

କହିବାକୁ ଆଉ କିଛି ନ ହେଲା ସାହସ ।

 

ବହୁକ୍ଷଣ ପରେ କିବା ଚିତ୍ତେ ଭାବି ଜେମା

କହିଲା ସେ ସଖୀ ମୁଖେ ଅନାଇ ଉଦାସେ –

‘‘କୁଞ୍ଜରିକା, ମନେ କିଛି ନ ଧରିବୁ ସଖୀ !

ଯାଅ ତୁହି ଅନ୍ୟ କାର୍ଯ୍ୟେ ଛାଡ଼ି ମୋତେ ଏଥି

ମନେ ମୋର ସୁଖ ନାହିଁ – ଦେହ ଲାଗେ ଭାରି,

ନିଦ୍ରା ଯାଏ କିଛି କ୍ଷଣ । - ’’

 

‘‘କହୁନା ସେ କଥା !

ବାର ବାର ଜିଜ୍ଞାସା ମୁଁ କରି ଅଲକ୍ଷଣୀ

ବ୍ୟଥିତ କରିଲି କିଆଁ । କର ଗୋ ଶୟନ

ଶ୍ରୀଅଙ୍ଗ କୁଶଳ ହେଉ, ଯାଏ ମୁହିଁ ଚଳି – ’’

ବୋଲି କୁଞ୍ଜରିକା ଧୀରେ ବାହାରିଲା ଗୃହୁଁ ।

ସରଳା କିଶୋରୀ ସେ ଯେ, ଜାଣିବ ସେ କିପାଁ

ହୃଦୟେ କି ବ୍ୟଥା ଲାଗେ, ଉଚ୍ଛନ୍ନ ପ୍ରଣୟ

ସହସା ପାଇଲେ ବାଧା, ଧମନୀ-ଶୋଣିତ

କେମନ୍ତେ ବନାଗ୍ନି ସମ ଆପେ ଜଳିଉଠି

ଆପଣାରେ କରେ ଭସ୍ମ, ପ୍ରଣୟ-ମନ୍ଦିରେ

ଆକୁଳିତ ଅଶ୍ରୁ ତେଜି କେହ୍ନେ ପ୍ରାଣବଧୂ

ମରୁଚାରୀ ପାନ୍ଥ ସମ କରେ ହାହାକାର ।

କୁଞ୍ଜରିକା ଗଲା ଚାଲି, ସେ ନାଗନନ୍ଦିନୀ

କରକୋକନଦେ ରଖି ବଦନ-କମଳ

ବିଚ୍ଛୁରିତ କଲା ଧୀରେ ବଦନ ଚାହାଣୀ

ବାତାୟନ ଭେଦି ଦୂର ବିନ୍ଧ୍ୟ ବନାନୀରେ ।

ଶୀତଳ ହେମନ୍ତ ସନ୍ଧ୍ୟା ଆସୁଥିଲା ମାଡ଼ି

ଧୀରେ ଧୀରେ ଜଳସ୍ଥଳେ, ଅସ୍ତରବି ରାଗ

ଖସୁଥିଲା ପୂର୍ବୁ ଧୀରେ ଦେଖାଇ କ୍ରମଶଃ

କ୍ରମ ନୀଳିଭୂତ ଦେହ ପ୍ରାଚୀ ଦିଗ୍‍ଗଜର ।

ବନସ୍ପତି ପ୍ରତି ପତ୍ରେ ଆଲୋକ ଅନ୍ଧାର

ଦୁଇ ପାଶୁ ଆଣି ମୁଖ ପତ୍ର ଧାରେ ଧାରେ

ଦେଉଥିଲେ ପରସ୍ପରେ ବିଦାୟ ଚୁମ୍ୱନ ।

କମ୍ପିତ ବସନାଞ୍ଚଳ ସମ ପ୍ରଦୋଷର

ହେମ-କାନ୍ତ ପକ୍ୱଶାଳି କେଦାରେ କେଦାରେ

କମ୍ପୁଥିଲା ମନ୍ଦ ମନ୍ଦ, ପ୍ରଦୋଷ ବିହଗ

ସ୍ୱର୍ଣ୍ଣ-କରେ ରଞ୍ଜି ପକ୍ଷ, ଯାଉଥିଲେ ଉଡ଼ି

ଆକୁଳେ କୁଳାୟ ମୁଖେ । ବିଷର୍ଣ୍ଣ ଉଲୁପୀ

କହିଲା ଉଦାସେ ଚାହିଁ – ‘‘ଏହି ସନ୍ଧ୍ୟା ସମ,

ଏହି ସନ୍ଧ୍ୟା ସମ, କେତେ ସନ୍ଧ୍ୟା ଅଛି ଯାଇ’’ –

ଆଉ ସେ ପାରିଲା ନାହିଁ । ସ୍ୱର୍ଣ୍ଣନାସାପୁଟ

ଥରିଲା ନିଃଶ୍ୱାସ ବେଗେ, କନକ କପୋଳ

ପାଟଳ ହୋଇଲା ଦୁଃଖେ-ବନ୍ଧୁର ଉରଜ

ସହସା ପୀବର ହେଲା ତିକ୍ତ ତପ୍ତଶ୍ୱାସେ ।

ଏକାଳେ ଦେଖିଲା ଜେମା ଶାନ୍ତ ନଭ ବାହି

ଯାଉଥିଲେ ଉଡ଼ି ଏକ ବିହଗ ଦମ୍ପତି

ସୁଦୂର ବନାନୀ ଦିଗେ – ତାଙ୍କ କଳରବେ

ମୁଖରିତ ହେଉଥିଲା ଗଗନ ସରଣୀ ।

ଏକ ଯଦି ପଛେ ରହେ, ଆନ ତାକୁ ଆଗୁ

ଡାକଇ ହେଳିତ କଣ୍ଠେ; ସମଗତି ହେଳେ

ପରସ୍ପର ପକ୍ଷ ବାଜେ ଅଙ୍ଗେ ଅନ୍ୟୋଽନ୍ୟର,

ଊର୍ଦ୍ଧ୍ୱଅଧଃ, ଆଗ ପଛ, ବାମ ବାମେତରେ

ଭାଙ୍ଗି ଗତି ନାନାଭାଗେ, ଯୁଗଳ ପ୍ରଣୟୀ,

ଧୀରେ ଧୀରେ ଲୀନ ହେଲେ ଦୁଇ ବିନ୍ଦୁ ସମ

ଅନନ୍ତ ଆକାଶ ତଳେ । ତାଙ୍କୁ ଚାହୁଁ ଜେମା,

ଆସନ୍ନ ବିରହ ସ୍ମରି, ନେତ୍ର ନୀଳୋତ୍ପଳ

ବିସ୍ତାରିତ କଲା ଦଣ୍ଡେ, ଦୁଇ ନେତ୍ର-କୋଣେ

ଦୁଇ ବିନ୍ଦୁ ନୀର କଣା ଘନ ପ୍ଲକ୍ଷ୍ମ ପରେ

ସହସା ଲଭିଲା ଜନ୍ମ ଶ୍ୟାମଦୂର୍ବାପରେ

ନିଶାନ୍ତ ଶିଶିର ସମ । ଦୁଇ ବିନ୍ଦୁ କ୍ରମେ

ବହୁ ବିନ୍ଦୁ ହେଲା ଧୀରେ, ତରଳ-ହୀରକ

ପରି ସେ ଲୋତକ-ରେଖା, ଦୁଇ ଗଣ୍ଡ ବାହି

ସିକ୍ତ କଲା କର ଦୁଇ, ସ୍ଫୁରିଲା ଅଧର ।

କର-ପତ୍ରେ ମୁଛି ନେଇ ଲୋତକ-ମୁକୁତା,

କହିଲା ସେ ତପ୍ତଶ୍ୱାସେ – ‘‘ସମ୍ୱର ହୃଦୟ,

ସମ୍ୱରୁ ଏ ଅଶ୍ରରାଶି । ଦୀର୍ଘ ତ ଜୀବନ

ସମ୍ମୁଖେ ରହିଛି ପଡ଼ି, ଅଗଣ ନିଶୀଥ

ସିକ୍ତ ହେବ ମୋ ଲୋତକେ, ଆଜୁଁ ଏ ବ୍ୟଥିତ

କି ଲାଭ ଆଣିବ ମତେ ? ବିରହ-ବ୍ୟାକୁଳ

ଅଜ୍ଞାତ ଅନ୍ଧାର ପଥେ ଦୁର୍ବଳ ବାଳିକା

ପଦ ଚାଳୁଁ, ବାରବାର ତିକ୍ତ ରିକ୍ତତାରେ

ବୁକୁ ତା ଫାଟି କି ଝଡ଼ି ନ ପଡ଼ିବ ଭୂମେ

ବିଞ୍ଚି ଦେଇ ଅସମ୍ଭାଳେ ପ୍ରଣୟ-ମୁକୁତା

ସଞ୍ଚିତ ତା ହୃଦ-ପୁଟେ ? କିଏ ସେ ସେକାଳେ

ପାଶେ ହୋଇ ଠିଆ ସ୍ନେହେ, ପୋଛି ନେତ୍ର-ନୀର

ବକ୍ଷେ ଭିଡ଼ି ବାହୁ ଯୁଗେ ଚୁମ୍ୱି ନେବ ଶୋକ ?

ଯେ ଦୁଃଖ ଏ ଜୀବନରେ ନୁହେ ଶମିବାର,

ଉଚିତ ନୁହଇ ତାକୁ ଦେବାର ଇନ୍ଦନ

ବାର ବାର ଅଶ୍ରୁ ଢାଳି । ଅନ୍ତର ମନ୍ଦିରେ

ରହୁ ସେ ଗୋ, ଦଗ୍ଧ କରି, ଆପଣାରେ ଆପେ

ଅବଶେଷ ରଖି ମାତ୍ର ଉସ୍ମ ଆପଣାର ।

ତଥାପି କେମନ୍ତେ ମୁହିଁ ନବଯଉବନୀ

ଅଙ୍ଗେ ଅଙ୍ଗେ ଧରି ଏହି ରସାଳ ବୟସ,

ହୃଦୟେ ଧରି ଏ କ୍ଷୁଧା, ଆତ୍ମାରେ ପିପାସା

ମନରେ ପ୍ରଣୟ ସ୍ୱପ୍ନ, ଶୋଣିତେ କ୍ରନ୍ଦନ

ସହିବି ଜୀବନ ଲାଗି ବିଚ୍ଛେଦ ପ୍ରିୟର ?

ଫାଲ୍‍ଗୁନୀ ଚଳିବେ ଏଥୁଁ – ସ୍ମରିଲେ ଏ କଥା

ବଜ୍ର ସମ ହାଣି ହୁଏ ଅବଳାର ବୁକେ ।

କେମନ୍ତେ ଭୁଲିବି ଯେଉଁ ପ୍ରଣୟ ବାସର

ଯାପିଲି ଏ ପ୍ରସାଦରେ ପ୍ରଣୟୀ ସଙ୍ଗତେ

ରସୋଚ୍ଛଳ କରି ପ୍ରତି ମୁହୂର୍ତ୍ତ ଦିନର

ତୀବ୍ର ପ୍ରେମ ମଦ ସେକେ ? କେମନ୍ତେ ଭୁଲିବି

ଏମନ୍ତ ହେମନ୍ତ ସନ୍ଧ୍ୟା-ଯେବେ ପ୍ରିୟ ମୋର

ପାରିଧିରୁ ଫେରି ମୋତେ ଚମକିବା ଲାଗି

ଧୀରେ ଧୀରେ ଆସି ପଛୁ ପଶନ୍ତି ମନ୍ଦିରେ

ଜାଣି ମୁଁ ନ ଜାଣି ରହେ ଅନାଇ ସୁଦୂରେ –

ପ୍ରିୟ ମୋର ଚକ୍ଷୁ ବୁଜି ପଚାରନ୍ତି – ‘କିଏ’ - ।

କେମନ୍ତେ ଜ୍ୟୋଛନା ରାତ୍ରେ ତୁଙ୍ଗ ବଡ଼ଭୀରେ

ପାରି ମୁଁ ବାସକ-ଶଯ୍ୟା କପଟରେ ଶୋଇ

ଚେଇଁଥାଏ ପ୍ରିୟ ଲାଗି, - ପ୍ରିୟ ଆସି ପାଶେ

ନିଦ୍ରିତ ଜାଣିଣ ମତେ ଚୁମ୍ୱନ୍ତି କଠୋରେ,

ଉଠି ମୁଁ କପଟ କ୍ରୋଧେ କରେ ତିରସ୍କାର ।

କେମନ୍ତେ ବୈଶାଖ ତପ୍ତ ମଧ୍ୟାହ୍ନେ ସେ ପ୍ରିୟ,

ଖୋଜି ଖୋଜି ଗୃହେ ଗୃହେ ମତେ ଅନୁସରି

ଆସନ୍ତି ଯହିଁ ମୁଁ ଥାଏ ସଖୀଜନ ମେଳେ –

ସଖୀଜନେ ଯାନ୍ତ ଚାଲି । ପଚାରିଲେ କେବେ

‘କେମନ୍ତେ ଆସିଲ ଏଥି’ – କହନ୍ତି ରସିକ

‘ଫୁଟୁ ପଛେ ପୃଷ୍ପ କେଉଁ ବନ ବନାନ୍ତରେ

ତା କି ନାହିଁ ଜାଣିପାର ବୁଭୁଷୁ ଭ୍ରମର ?’ –

ତା’ପରେ ବସିବେ ଧୀରେ ଶଯ୍ୟା-ପ୍ରାନ୍ତ ଧରି

ସାଉଁଳିବେ ଅକାରଣ ବାରଣ ନ ମାନି

ମୋର ତାପକ୍ଲାନ୍ତ ଦେହ; ପୋଛି ଦେବେ ହାତେ

ବାରବାର ସ୍ୱେଦ-ସ୍ରୋତ ବକ୍ଷରୁ ସେନେହେ,

ବିଞ୍ଚି ଦେବେ ତାଳବୃତ୍ତେ କରୁ କରୁ ମନା

ଏକି କି ପାଶୋରଯାଏ ? ବୀର ଅଙ୍ଗୁ ସିନା

ଶରାଘାତ ଶମେ କାଳେ, ରହଇ ତ ବ୍ରଣ ?

ପ୍ରଣୟର ସ୍ମୃତିପ୍ରାଣେ ରହି ସେହିପରି

ନିଃସଙ୍ଗ ନିଶୀଥେ ମମ କୋମଳ ଶୟନ

ନାହିଁ କି କରିବ ବାର ବାର କଣ୍ଟକିତ ?

ଏହି ଗୃହ, ଏହି ବନ ଏହି ହ୍ରଦ-ତଟ

ପରିଚିତ ଏହି ସ୍ଥଳୀ-ପ୍ରିୟ ସଙ୍ଗ ହେତୁ

ନବ ଅର୍ଥ, ନବ ରୂପ ଘେନିଲେ ମୋ ଲାଗି,-

ପ୍ରିୟ-ହୀନ ଜୀବନର ଦିବସ-ରଜନୀ

କେମନ୍ତେ କାଟିବି ପୁଣି, ଦେଖି ଏଇମାନ ?

ପ୍ରତିପଦେ ଯହିଁ ତହିଁ ନେତ୍ର ମୋ ପଡ଼ିବ

ଫାଲ୍‍ଗୁନୀ ଉଠିବେ ନାଚି-ପ୍ରାଚୀନ ପ୍ରଣୟ

ମୂର୍ତ୍ତି ହୋଇ କରତିବ ଅସହାୟ ମତେ ।

କେମନ୍ତେ ଚଞ୍ଚଳ ସେ ଯେ ! ପୁରୁଷ ନିଷ୍ଠୁର

ବୋଲି ଶୁଣିଥିଲି ଯାହା, ଦେଖିବାକୁ ହେଲା

ନିଜ ଅନୁଭବେ ମତେ । ମୋର ଏ ବେଦନା

ବୁଝନ୍ତି କି ସେକି ପ୍ରାଣେ ? ବିରହ-ବିଚ୍ଛେଦ

ଆଣୁଛି କି ତାଙ୍କ ଚିତ୍ତେ ବିପ୍ଲବ ମୋ ପରି ?

ଭାବନ୍ତି କି ପାର୍ଥ, ତାଙ୍କ ବିରହରେ ଏଥି

ଧରଣୀର ଏକ କୋଣେ, କେ ଏକ ବାଳିକା

ଲୋଟିବ ଧରଣୀ ତଳେ, ଡାକି ଡାକି ବୁକେ

ବାରମ୍ୱାର ତାଙ୍କ ନାମ ? ପାଷାଣ-ପୁରୁଷ

ଶୁଣି କି ପାରିବେ ସେହି ବାଳିକା-ବିଳାପ,

ଦୂରେ ରହି ଗୌରବର ଉନ୍ନତି ଶିଖରେ

ଧନ୍ୟ ହୋଇ ଜନତାର ମୁଗ୍ଧ ବନ୍ଦାପନେ ?

କି ଭ୍ରମ କଲି ମୁଁ ସତେ ! କାହିଁକି ବିକିଲି

ଏ ପ୍ରାଣ ଏପରି ଏକ ନିଷ୍ଠୁର ପୁରୁଷ ।’’

 

ନୀରବିଲା ତହୁଁ ଦଣ୍ଡେ ବିରହ ବ୍ୟଥିତା

ତେଜି ଖର ଦୀର୍ଘଶ୍ୱାସ, ଭାବିଲା ସେ କିବା

ନେତ୍ର ରଖି କରଜରେ । ପ୍ରିୟର ଉର୍ତ୍ସନା

ଆଘାତ ଆଣୁଁ, ସେ ନିଜେ ଧିକ୍‍କାରି ନିଜରେ,

କହିଲା ତା କଥା ପୁଣି –

‘କାହିଁକି ବା ଛି ! ଛି !

ନିନ୍ଦୁଛି ପ୍ରିୟରେ ମୋର ! ପୁରୁଷ ପୁଙ୍ଗବ

ସେ କିପାଁ ରହିବେ ବନ୍ଦୀ, ମୋ ଛାର ପ୍ରଣୟେ ?

ନିବିଡ଼ ପ୍ରଣୟ ତାଙ୍କ ଭୋଗି ଏତେ ଆହା

କାହିଁକି ନିନ୍ଦିବି ଆଜି ? ପ୍ରଥମେ ଯେ ଦିନ

ଅର୍ପିଲି ଏ ପ୍ରାଣ ତାଭ୍କ ଚରଣ ଯୁଗଳେ

ଜାଣିକି ନ ଥିଲି ମୁହିଁ, ଚିରଦିନ ଲାଗି

ଫାଲ୍‍ଗୁନୀ ନୁହନ୍ତି ମୋର ? ଅବତୀର୍ଣ୍ଣ ସେ ଯେ

ଶମିବାକୁ ଧରା ଭାର – ନାଶିବାକୁ ବ୍ୟଥା

ଅତ୍ୟାଚାର ନିଷ୍ପେଷିତ ଦୀନ ଜନତାର,

ସେ କିପାଁ ରହିବେ ଏଥି ପ୍ରଣୟ ବିଳାପେ,

ଛାର ଏକ ଯୁବତୀର ଭୁଜ-ବିବନ୍ଧନେ ?

ମୋ ବେଣୀ-ବନ୍ଧନ ତେଜି ତାଙ୍କ ବୀର କର

ଗାଣ୍ଡୀବରେ ଗୁଣ ଯୋଖୁ, ସିନ୍ଦୂର ମୋ ଭାଲେ

ଲଗାଇବା ଲାଗି କ୍ଷିପ୍ର ନୋହି ସେ ଅଙ୍ଗୁଳି

ଦ୍ରୁତ ହେଉ ଶର ଲକ୍ଷ୍ୟେ, ଦୁଷ୍ଟ ବିନାଶନେ ।

କାନନ କୁସୁମେ ଅଳି ଚୁମ୍ୱେ ଥରେ ସିନା,

ଚାତକରେ ଜଳ ଦିଏ ବର୍ଷଣ ବାରିଦ

କେବଳ ପ୍ରାବୃଟେ ସିନା, ମୋର ଏ ଜୀବନେ

ପ୍ରାଣୟର ହେଲା ଏବେ ଭୋଗ ସେଇପରି ।

ଏଇ କେତେ ମୁହୂର୍ତ୍ତର ଗଭୀର ପ୍ରଣୟ

ନିଖିଳ ଜୀବନେ ବ୍ୟାପି କରୁ ମଧୁମୟ ।

ମୋ ଲାଗି ଅର୍ଜୁନେ ଏଥି ବାନ୍ଧି ରଖି ପ୍ରେମେ

ତାଙ୍କର ବିଜୟ-ପଥେ ହେଲେ ମୁଁ କଣ୍ଟକ,

ସେ କି ହେବ ପ୍ରେମ ସତେ ? କୋଟିଏ ମୋ ପରି

ବିନାଶ ହୁଅନ୍ତୁ ପଛେ – ତାଙ୍କ ଭସ୍ମ ଘେନି

ପ୍ରିୟର ବିଜୟ-ପଥ ଗଢ଼ା ହେଉକିନା !

ବିଚ୍ଛେଦ-ବିରହ-ବ୍ୟଥା ଆସୁ ଯେତେ ଯାହା

ସହିବି ସେସବୁ ମୌନେ ପ୍ରିୟ ଲାଗି ମୋର,

ତପସ୍ୟା ସେ ହେବ ମୋର ତାଙ୍କ ଯଶ ଲାଗି ।

ଅସୀମ ବେଦନା ନଳେ ଦହି ଏ ପରାଣ

ଧୂସ ସମ ଜାଳିଦେବି ଏ ଜୀବନ ମମ

ମୋ ପ୍ରିୟ ଗୌରବ ଲାଗି – ପ୍ରେମ ସେ କି ନୁହେ ?

ପ୍ରେମ କି କେବଳ ଭୋଗେ, ଅଙ୍ଗେ ଅଙ୍ଗ ମେଳେ

ଅଧରୁ ଅଧର ପାନେ, ଶରୀର ଆଘ୍ରାଣେ,

ଏ ଦେହର ରସ ଭୋଜ୍ୟେ ? ପ୍ରିୟଜନ ଲାଗି

ଜାଳିବା ଜାଗର ବସି ନିଶୀଥେ ନିଶୀଥେ,

ତେଜି ଧୀରେ ପ୍ରେମ-ଦୀପ ନିଃସଙ୍ଗ କୁଟୀରେ,

ଶୁଖାଇବା ନେତ୍ରୁ ନୀର, ଶୁକ୍ଲାଇବା କେଶ

ସେ କି ନୁହେ ପ୍ରେମ ସତେ ?

ଗର୍ଭେ ଅଛି ଧରି

ପୁଣି ମୁଁ ପରମ ପ୍ରେୟ ବୀଜ ତେଜୋମୟ –

ମୋ କରେ ମୋ ପ୍ରଣୟୀର ଶ୍ରେଷ୍ଠ ଉପହାର –

ନବୀନ ଜୀବନ-ବିନ୍ଦୁ, ପ୍ରଣୟ-କୁସୁମ ।

ମୋର ଏ ତରୁଣୀ ବକ୍ଷ ତପ୍ତ ହୋଇଉଠେ

ଭାବିଲେ କେମନ୍ତେ ସେହି ନବ ସର୍ଜନାରେ

ଏ ବକ୍ଷର ରସ ଦେଇ କରିବି ଜୀବନ୍ତ ।

ସେହି ଦାନେ, ସେ ପାଳନେ, ସେହି ସ୍ପର୍ଶ-ସୁଖେ

ପ୍ରିୟର ସକଳ ସ୍ମୃତି ହୋଇ ରସ-ଘନ

ମୋର ପ୍ରତିଲୋମେ ଲୋମେ ନିକି ସଞ୍ଚାରିବ

ଆନନ୍ଦ ବିଦ୍ୟୁତରେଖା ? ତରୁଣ-ଅର୍ଜୁନେ

ବକ୍ଷେ ଭିଡ଼ି ଅନ୍ଧ ସ୍ନେହେ ଲଭିବି ମୁଁ, ନିକି

ପ୍ରବୀଣ ଫାଲ୍‍ଗୁନୀ ସ୍ନେହ, ପୁଣି ନୂଆ କରି !

ଅସ୍ତଗାମୀ ହେଲେ ଦେହୁଁ ଯୌବନ-ତପନ,

ଶାନ୍ତ ହେଲେ ଅନ୍ତରରୁ ପ୍ରଣୟ-ପିପାସା

କ୍ଲାନ୍ତ ହେଲେ ଅଙ୍ଗୁ ଅଙ୍ଗୁ ଅନଙ୍ଗ ବିଳାସ

ଯୌବନ-ଦ୍ରବ୍ୟେ କି ହୁଏ ପ୍ରିୟ ବନ୍ଦାପନା ?

ଏହି ଯେଉଁ ରାଜୋଦ୍ୟାନ, ଏ କି କରେ ପୂଜା

ଏକପୁଷ୍ପେ ତପନରେ ସର୍ବ ଋତୁ ଧରି ?

ପ୍ରଭାତେ ଯେ ଅର୍ଘ୍ୟ ଥାଳି ସଜାଡ଼ି ଧରଣୀ

ବନ୍ଦଇ ତପନେ ଟେକି, ଗୋଧୂଳି ଲଗନେ

ପୂଜେ କି ସେ ସେହି ଘେନି ? ପ୍ରେମେ ସେହିପରି

ଏକରାଗେ ପୂଜାପୂଜି ନିଖିଳ ଜୀବନେ

କେମନ୍ତେ ଘଟିବ ପ୍ରିୟ-ପ୍ରଣୟିନୀ ମେଳେ ?

ଯୌବନ ବାଢ଼ିଲା ସିନା ପ୍ରିୟ ପଦତଟେ

ପୁଷ୍ପିତା ଏ ଦେହ-ଲତା, ସୁରଭି ବ୍ୟାକୁଳ;

ଝାଉଁଳି ଆସିବ ଯେବେ ପଲ୍ଳବ-ସୁମନ

ଏ ଅଙ୍ଗଲତାରୁ କ୍ରମେ, କି ଘେନି ପୂଜିବି

ନାରୀ ମୁଁ ମୋ ପ୍ରିୟଜନେ ? ଜୀବନ ସନ୍ଧ୍ୟାରେ

ପ୍ରବୀଣ ସେ ବୀର ପଦେ ଥୋଇଦେବି ଯେବେ

ତରୁଣ ଅର୍ଜୁନ ଏକ-ଶୌର୍ଯ୍ୟର ପ୍ରତିମା-

ସେ କି ନାହିଁ ହେବ ମୋର ଶ୍ରେଷ୍ଠ ଉପହାର ?

ସେହି ହେଉ ତପ ମୋର । ଶୂନ୍ୟ ଏ ପ୍ରାସାଦେ

ପ୍ରିୟହୀନ ଏ ଭୁବନେ, ତାଙ୍କ ସ୍ମୃତି ଧରି,

ନୟନ-ତରଳ-ବାଷ୍ପ ନେତ୍ରେ ନେଇ ମାରି

କରିବି ତାଙ୍କର ପୂଜା । ଯାଉନ୍ତୁ ମୋ ପ୍ରିୟ,

ବିଦାୟର ଦଣ୍ଡ ତାଙ୍କ ହେଉ ଜୟଶୀଳ;

ବାରଣ କରି ମୁଁ କିପାଁ ହେବି ଅମଙ୍ଗଳ

ତାଙ୍କର ବିଜୟ ପଥେ-ଯାଆନ୍ତୁ ସେ ସୁଖେ ।

ନାରୀ-ଚରିତ ତ ଏହି-ପ୍ରିୟରେ ତାହାର

ପିନ୍ଧଇ ମୁକୁଟ ଶିରେ, ଖଞ୍ଜାଇ ତୂଣୀର

ବନ୍ଧାଇ କଠିନ ବର୍ମ କାନ୍ତ-ଶାନ୍ତ କରେ

ନଚାଇ ତା ବୀରରକ୍ତ କଙ୍କଣ-ରୁଣିତେ

ପଠାଇବା ରଣଭୂମେ, - ତା ପରେ କୁଟୀରେ

ସତୀତ୍ୱ-ପ୍ରଦୀପ ଜାଳି ପ୍ରିୟ–ଯଶ ଲାଗି

ପୂଜିବ ତା’ ଇଷ୍ଟଦେବ ।

ତାହାହିଁ ମୁଁ କରେ ।

 

ବେଠିକ୍

 

ସମୟ ଦେଖି ସିନା କରମ କରାଯାଏ

ଆମୟ ଦେଖି ସିନା ଓଷଦ,

ରୁଚିକି ଚାହିଁ ସିନା ଭୋଜନ ଆୟୋଜନ

ପୀରତି, ଦେଖି ପ୍ରାଣେ ଦରଦ ।

କିପରି ଏ ଜଗତ ବୁଝି ତ ନାହିଁ ହୁଏ

ଯେ କାଳେ ଯା ହେବାର ନୁହଇ

ଜୋଛନା ରାତେ ପୁଣି ପୀରତି ନାହିଁ ମିଳେ

ତରୁଣ ନେତ୍ରୁ ଲୁହ ବହଇ ।

***